Categories: ଜାତୀୟ

କ୍ଷମତାରେ ରହିବାର ଆଶୀର୍ବାଦ ଦିଅନ୍ତୁ ନାହିଁ, ସବୁବେଳେ ସେବା କରିବାକୁ ଚାହେଁ…

ନୂଆଦିଲ୍ଲୀ,୨୮।୧୧: ଦେଶର ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ଆୟୋଜିତ ହେଉଥିବା ଅମୃତ ମହୋତ୍ସବ ମନରେ ଦେଶ ଲାଗି କିଛି କରିବାର ଉତ୍ସାହ ଏବଂ ପ୍ରେରଣା ଦେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୮୩ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି।

ପଞ୍ଚାୟତ ଠାରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଦେଶର ସାଧାରଣ ଲୋକ ହୁଅନ୍ତୁ ଅବା ସରକାର ସବୁଠାରେ ଅମୃତ ମହୋତ୍ସବର ପ୍ରତିଧ୍ୱନୀ ଗୁଞ୍ଜରିବାରେ ଲାଗିଛି। ସେହିପରି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ, ମତେ କ୍ଷମତାରେ ରହିବାର ଆଶୀର୍ବାଦ ଦିଅନ୍ତୁ ନାହିଁ। ମୁଁ ସବୁବେଳେ ସେବା କରିବାକୁ ଚାହେଁ। ସରକାର ବହୁ ଲୋକ ହିତକର ଯୋଜନାର ପ୍ରଣୟନ କରିଛନ୍ତି। ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌ କା ବିଶ୍ୱାସ ଦ୍ୱାରା ଦେଶର ବିକାଶ ଧାରା ଅବ୍ୟାହତ ରହିଛି ।

ସେବା ତାଙ୍କ ଜୀବନର ପ୍ରଥମ ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରକୃତିର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ଜୀବନଜୀବିକାରେ ବିକାଶ ସହିତ ପରିବେଶ ସୁରକ୍ଷା ସୁନିଶ୍ଚିତ ହୋଇପାରିଥାଏ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅତି ଖୁସିର କଥା ଯେ, ମନ୍‌ କି ବାତ୍‌ ପରିବାରର ସଦସ୍ୟଙ୍କ ସଂଖ୍ୟା ଧିରେଧିରେ ବଢ଼ିବାରେ ଲାଗିଛି। ନମୋ ଆପ୍‌ ଏବଂ ମାଇଁଗଭ୍‌ ମାଧ୍ୟମରେ ବହୁଲୋକଙ୍କ ଠାରୁ ଉପାଦେୟ ପରାମର୍ଶ ମିଳିପାରୁଛି।

ଦେଶବାସୀ ସେମାନଙ୍କର ଦୁଃଖସୁଖରେ ମତେ ସାମିଲ କରି ଥିବାରୁ ମୁଁ ବେଶ୍‌ ଆନନ୍ଦିତ। ମୁଁ ଏବେ ସେମାନଙ୍କ ପରିବାରର ଏକ ଅଂଶ ଭାବରେ ବିବେଚିତ ହୋଇ ପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share