କରୋନା ଘୃଣା ଭାଇଚାରା ନ ଭାଙ୍ଗୁ

କଟକ ଅଫିସ,୩।୮: କରୋନା କାହାକୁ ବି ହୋଇପାରେ। ଆଜି ଯଦି ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଆମେ ଘୃଣା କରିବା, ତେବେ କାଲି ଆମେ ମଧ୍ୟ ଆକ୍ରାନ୍ତ ହୋଇପାରନ୍ତି। କଟକ ଏକ ଭାଇଚାରାର ସହର। ଅତୀତରେ ଅନେକ କଠିନ ସମୟରେ ମଧ୍ୟ ଏହି ଭାଇଚାରା ଅତୁଟ ରହିଛି। କରୋନା ରୋଗୀଙ୍କ ପ୍ରତି ଘୃଣା ଏହି ଭାଇଚାରାକୁ ନ ଭାଙ୍ଗୁ ବୋଲି କଟକବାସୀଙ୍କୁ ଆହ୍ବାନ ଦେଇଛନ୍ତି ସିଏମ୍‌ସି କମିଶନର ଅନନ୍ୟା ଦାସ।
ରବିବାର ଖବରଦାତା ସମ୍ମିଳନୀରେ ସେ କହିଛନ୍ତି ଯେ, ପୁରୁଣା ରାଉସାପାଟଣା ଓ ବେହେରା ସାହି ମାଲ୍‌ଗୋଦାମକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇଛି। ଏହି ଜୋନ୍‌ରୁ ବର୍ତ୍ତମାନ ସୁଦ୍ଧା ୧୮୮ଟି ନୂଆ ପଜିଟିଭ୍‌ କେସ୍‌ ଚିହ୍ନଟ ହୋଇଛନ୍ତି। ନମୁନା ସଂଗ୍ରହ, ସକ୍ରିୟ ସର୍ବେକ୍ଷଣ ଓ ଘରକୁ ଘର ବୁଲି ସ୍କ୍ରିନିଂ ପ୍ରକ୍ରିୟା ଜାରି ରହିଛି। ଜୁଲାଇ ୨୫ରୁ ୩୦ ଭିତରେ ସହରରେ ୩୩୬ ଜଣ ଚିହ୍ନଟ ହୋଇଛନ୍ତି। ସେଥିରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ୧୧୪, ଗୃହ ସଙ୍ଗରୋଧରୁ ୧୧୮, ସରକାରୀ ସଙ୍ଗରୋଧରୁ ୫୯ ଓ ୪୫ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ପୁରୁଣା ରାଉସପାଟଣାରେ ୬୦୬ଟି ନମୁନା ସଂଗ୍ରହ ହୋଇଥବା ବେଳେ ୧୦୯ ଓ ବେହେରାସାହିରୁ ୧୦୨ଟି ନମୁନା ପରୀକ୍ଷାରୁ ୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସହରରେ ଅଧିକ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି। ଓଡ଼ିଶା କ୍ଲିନିକାଲ ଏଷ୍ଟାବ୍ଲିସ୍‌ମେଣ୍ଟ ଆଇନ ଅଧୀନରେ ପଞ୍ଜୀକୃତ ହୋଇଥିବା ଘରୋଇ ପରୀକ୍ଷାଗାର ଆଇସିଏମ୍‌ଆର୍‌ ମାର୍ଗଦର୍ଶିକା ଅନୁଯାୟୀ ଆଣ୍ଟିଜେନ୍‌ ଟେଷ୍ଟ କରିପାରିବେ। ଏନ୍‌ଏବିଏଲ୍‌ (ପରୀକ୍ଷଣ ପାଇଁ ଜାତୀୟ ପ୍ରମାଣନ ବୋର୍ଡ) ଦ୍ୱାରା ଅନୁବନ୍ଧିତ ପରୀକ୍ଷାଗାରଗୁଡ଼ିକ ଆଇସିଏମ୍‌ଆର୍‌ ମାର୍ଗଦର୍ଶିକା ଅନୁସାରେ ଆର୍‌ଟି-ପିସିଆର୍‌ ଟେଷ୍ଟିଂ କରିପାରିବେ। ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ, ନିମାହଂସ (ଜାତୀୟ ମାନସିକ ସ୍ବାସ୍ଥ୍ୟ ଓ ସ୍ନାୟୁବିଜ୍ଞାନ ପ୍ରତିଷ୍ଠାନ) ଓ ୟୁଏନ୍‌ଡିପି (ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ)ର ମିଳିତ ଉଦ୍ୟମରେ ମହାନଗର ଅଞ୍ଚଳରେ ଥିବା ବିଭିନ୍ନ କୋଭିଡ୍‌ କେୟାର ସେଣ୍ଟର ଓ ଜିଲା କୋଭିଡ୍‌ ହସ୍ପିଟାଲରେ ରହୁଥିବା ପଜିଟିଭ୍‌ ରୋଗୀଙ୍କ ସହ ମତ ବିନିମୟ ପାଇଁ ସପ୍ତାହକୁ ଦୁଇଥର ୱେବିନାର ଆୟୋଜନ କରାଯାଉଛି। ଏପରି କଠିନ ସମୟରେ ସେମାନଙ୍କର ଉତ୍ତମ ମାନସିକ ସ୍ବାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଆଶଙ୍କା, ଭ୍ରାନ୍ତ ଧିରଣା ଓ ଅନ୍ୟ ପ୍ରସଙ୍ଗ ଉପରେ ତଥ୍ୟ ସଂଗ୍ରହ କରାଯାଉଥିବା କମିଶନର ଦାସ କହିଛନ୍ତି।

Share