ଡ. ନିଖିଳାନନ୍ଦ ପାଣିଗ୍ରାହୀ
ବିଶିଷ୍ଟ ଲେଖକ ଓ ସ୍ତମ୍ଭକାର ଜଗ ସୁରୈୟା(ଜନ୍ମ:୧୯୪୬) ଗୋଟିଏ ସ୍ତମ୍ଭରେ ଲେଖିଛନ୍ତି ”ବିଭିନ୍ନ ସୂତ୍ରରୁ ବାରମ୍ବାର ଆମକୁ ମନେପକାଇ ଦିଆଯାଉଛି ଯେ, ଉତ୍ତମ ସ୍ବାସ୍ଥ୍ୟ ସେବା ବଳରେ ଆମର ବାର୍ଦ୍ଧକ୍ୟ ଆମଠାରୁ ଦୂରେଇ ଯାଉଛି। ‘ଅତୀତର ଷାଠିଏ ଏବେ ପଚାଶ, ସେମିତି ପଚାଶ ହେଉଛି ଚାଳିଶ’ ବୟସରେ ପରିଣତ ହୋଇଯାଉଛି। ତେଣୁ ବୃଦ୍ଧାବସ୍ଥା ପୂର୍ବାପେକ୍ଷା ବହୁ ବିଳମ୍ବରେ ଆମ ପାଖରେ ପହଞ୍ଚିବ।“
ଏହି ପରିପ୍ରେକ୍ଷୀରେ ଡକ୍ଟର ରବି ସେଟ୍ଟି (ଦକ୍ଷିଣ କର୍ନାଟକ ମହୀଶୂରରେ ୧୯୫୩ରେ ଜନ୍ମିତ)ଙ୍କ ମତ ପ୍ରଣିଧାନ ଯୋଗ୍ୟ। ସେ ଏକୋଇଶ ବର୍ଷରୁ ଅଧିକ କାଳ ହୃଦ୍ରୋଗର ସର୍ଜନ ଭାବେ ଖ୍ୟାତି ଅର୍ଜିଛନ୍ତି। ଭେଷଜ ବିଜ୍ଞାନର ଉଚ୍ଚ ଡିଗ୍ରୀଧାରୀ। ଏମ୍ବିବିଏସ୍, ଏମ୍ଏସ୍, ଏଫ୍ଆର୍ସିଏସ୍। ବେଙ୍ଗାଲୁରୁରେ ଅବସ୍ଥିତ ନାରାୟଣ ହେଲ୍ଥ ହସ୍ପିଟାଲ ସମୂହର ସେ ପ୍ରତିଷ୍ଠାତା। ପଦ୍ମଭୂଷଣ ଓ ଡକ୍ଟର ବିସି ରାୟ ଆଓ୍ବାର୍ଡ ଦ୍ୱାରା ସମ୍ମାନିତ ଡକ୍ଟର ସେଟ୍ଟି ଜଗ ସୁରେୟାଙ୍କ ପରି ବହୁ ଲୋକ ଯେମିତି ବୟସ ବୃଦ୍ଧି ସମ୍ପର୍କରେ ମତ ପୋଷଣ କରିଛନ୍ତି, ସେ ସେଥିରେ ଏକମତ ନୁହନ୍ତି।
ସ୍ବାସ୍ଥ୍ୟସେବା ସହ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଡକ୍ଟର ସେଟ୍ଟି ନିଜ ଦୀର୍ଘ ଅଭିଜ୍ଞତାରୁ ଜଣାଇଛନ୍ତି ଯେ, ଜଣେ ବ୍ୟକ୍ତିକୁ ଚାଳିଶ ବର୍ଷ ହୋଇଗଲେ ତା’ ଶରୀରରେ ବହୁ ପରିବର୍ତ୍ତନ ଦେଖାଦିଏ। ପଚାଶ ବର୍ଷରେ ଉପନୀତ ହେଲେ, ଏହି ପରିବର୍ତ୍ତନ ବୃଦ୍ଧି ପାଏ। ସମୟ ସ୍ରୋତରେ ଏହି ଶାରୀରିକ ଅଧୋଗତି ଚାଲୁ ରହିଥାଏ। ଷାଠିଏ ବେଳକୁ ଆମର ଗତିବିଧି ମନ୍ଥର ହୋଇଯାଏ। ଆଉ ଦଶବର୍ଷ ପରେ କିଛି ଅଙ୍ଗ ପ୍ରତ୍ୟଙ୍ଗ ଅଧିକ ଦୁର୍ବଳ ହୋଇଯାନ୍ତି। ଅଶୀ ଉପରକୁ ଯଦି ଆମେ ବଞ୍ଚୁ, ଏହା ବୋନସ ବୋଲି ଧରିନେବା ଉଚିତ। ତେଣୁ ଆମେ କହିବା ଆଦୌ ଠିକ୍ ନୁହେଁ ଯେ, ପୁରୁଣା ଷାଠିଏ ଏବର ଚାଳିଶ, ଅତୀତର ପଚାଶ ସଂପ୍ରତି ତିରିଶ ଇତ୍ୟାଦି। ଆମର ହୃଦ୍ସ୍ପନ୍ଦନ ପ୍ରଭାବିତ ହୁଏ ବୟସ ଅନୁକ୍ରମରେ। ମଣିଷର ଶରୀର ଓ ମନର ଏମିତି କ୍ରମବର୍ଦ୍ଧିଷ୍ଣୁ କ୍ଷୟକୁ ଲକ୍ଷ୍ୟ କରି ଅବସର ବ୍ୟବସ୍ଥା ବିଭିନ୍ନ ସଂସ୍ଥାରେ ରଖାଯାଇଛି। ହୁଏତ ବାହାରକୁ ଆମେ ସୁସ୍ଥ ସବଳ ଦେଖାଯାଇପାରୁ; କିନ୍ତୁ ଆମ ଶରୀର ଅଭ୍ୟନ୍ତରସ୍ଥିତ ବିଭିନ୍ନ ଅବୟବର ଶକ୍ତିରେ କ୍ଷୟ ତଥା ଦୌର୍ବଲ୍ୟ ଅବ୍ୟାହତ ରହିଥାଏ।
ଦୁଷ୍ଟାନ୍ତ ଭାବେ ସେ ଦକ୍ଷିଣ ଭାରତର ସୁପରଷ୍ଟାର ପୁନିତ ରାଜକୁମାର(୧୯୭୫-୨୦୨୧)ଙ୍କ ଆକସ୍ମିକ ମୃତ୍ୟୁକୁ ଉଲ୍ଲେଖ କରିଛନ୍ତି। ୨୯ ଅକ୍ଟୋବର ୨୦୨୧ ଶୁକ୍ରବାରରେ ଜିମ୍କୁ ଯାଉଥିଲେ। ସେ ବ୍ୟାୟାମ କରିବା ବେଳେ ଅସ୍ବଚ୍ଛନ୍ଦ ଅନୁଭବ କଲେ। ଅବଶ୍ୟ ସେ ରୀତିମତ ବ୍ୟାୟାମ କରିଥାନ୍ତି ଶରୀରର ଉପଯୁକ୍ତ ଆକାର ପାଇଁ। ସିନେମାର ଜଣେ ନାୟକ ଏଥିପାଇଁ ସର୍ବଦା ସଜାଗ ରହିଥାଏ। ବ୍ୟାୟାମ ସାରି ସେ କ୍ଳାନ୍ତ ଅନୁଭବ କରିବାରୁ ଡାକ୍ତରଙ୍କ ପାଖକୁ ଶରୀର ପରୀକ୍ଷା କରିବା ପାଇଁ ଗଲେ। ଡାକ୍ତରୀ ମତ ହେଲା ଯେ, ଓ୍ବାର୍କଆଉଟ ସମୟରେ ତାଙ୍କୁ ହୃଦ୍ଘାତ ହୋଇଥିଲା; ଯଦିଓ ତାଙ୍କ ଛାତିରେ ବ୍ୟଥା ହୋଇ ନ ଥିଲା। ତାଙ୍କ ରକ୍ତଚାପ, ହୃଦ୍ସ୍ପନ୍ଦନ ଠିକ୍ ଥିଲା। କିନ୍ତୁ ଶରୀରରୁ ଝାଳ ବୋହୁଥିଲା। ଇସିଜିରୁ ହୃଦ୍ଘାତର ଲକ୍ଷଣ ଜାଣି ଯଥୋଚିତ ଚିକିତ୍ସା ଆରମ୍ଭ ହେଲା କିନ୍ତୁ ସେଠାରେ ଶୀଘ୍ର ତାଙ୍କର ଅକାଳ ମରଣ ହେଲା।
ପ୍ରକାଶଥାଉ କି ଜିମ୍ରେ ସେ କେତେକ ମୁଷ୍ଟିଯୁଦ୍ଧ ବ୍ୟାୟାମ କରିଥିଲେ। ତାଙ୍କ ବୟସ ବୃଦ୍ଧି ବିଷୟକୁ ସେ ସମ୍ପୂର୍ଣ୍ଣ ଅଣଦେଖା କରି ନବଯୁବକ ପରି କଠିନ ବ୍ୟାୟାମରେ ନିମଗ୍ନ ଥିଲେ। ଡକ୍ଟର ସେଟ୍ଟିଙ୍କ ଅନୁସାରେ ବୟସକୁ ବେଖାତିର କରିବା ମନୋଭାବ ଓ ଶାରୀରିକ ସାମର୍ଥ୍ୟ ମଧ୍ୟରେ ଯେଉଁ ଲକ୍ଷଣୀୟ ତାରତମ୍ୟ ଘଟେ, ଏହାର ଅବମାନନା ଯୋଗୁ ପରିଣାମ ଦେଖାଦିଏ ଯେମିତି ଅପ୍ରତ୍ୟାଶିତ ଅକାଳ ମରଣ। ଏହି ମର୍ମରେ ସେ ଚେତାଇ ଦେଇଛନ୍ତି ଯେ, ସିକ୍ସ ପ୍ୟାକ୍, ସୁନ୍ଦର ସୁଠାମ ଆକୃତି ପାଇଁ ଆମେ ବ୍ୟାକୁଳ ହେଉ, ଯୁବକ ପରି ଦେଖାଯିବା ପାଇଁ। ଆଜିକାଲି ଚାଳିଶ ବୟସ ପରେ ପରେ ଯେମିତି ହୃଦ୍ଘାତରେ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି, ଏହା ଉଦ୍ବେଗଜନକ ବୋଲି ସତର୍କ ହେବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଲେ। ବୟସକୁ ବେଖାତିର ନ କରିବାକୁ ସେ ସତର୍କ କରିଥିଲେ।
ଶରୀର ତତ୍ତ୍ୱର ଏହି ନିଷ୍ଠୁର ତଥ୍ୟ ସତ୍ତ୍ୱେ ଜଣେ ଛୟାଳିଶ ବର୍ଷ ବୟସ୍କ ବ୍ୟକ୍ତି ଯଦି ଛତିଶ ବା ଛବିଶ ବର୍ଷୀୟ ଯୁବକର ଉଦ୍ଦାମତ୍ତାରେ ସାହସିକ କାର୍ଯ୍ୟ ସଂପାଦନ କରିବାକୁ ଆଗଭର ହୁଏ, ସେ ପୁନିତ କୁମାରଙ୍କ ଦୁର୍ଭାଗ୍ୟକୁ ନିମନ୍ତ୍ରଣ ହୁଏତ କରିବ। ଯୁବକଙ୍କ ପାଇଁ ଯାହା ପ୍ରଶଂସନୀୟ ସାହସିକ ପଦକ୍ଷେପ, ବୟସ୍କଙ୍କ ପାଇଁ ତାହା ଅବଶ୍ୟ ଦୁଃସାହସିକ। ତେବେ ଭେଷଜ ବିଜ୍ଞାନର ଉକ୍ତ ପ୍ରତିକୂଳ ଆଶଙ୍କା ସତ୍ତ୍ୱେ ଆମେ ଏଥିପ୍ରତି ବେପରୁଆ।
୧୯୯୨ରେ ବ୍ରିଟେନର ରିଚାର୍ଡ ଇନଗ୍ରାମ ଓଲ୍ଡି ନାମକ ଏକ ମାସିକ ପତ୍ରିକା ଲଣ୍ଡନରୁ ଆରମ୍ଭ କଲେ। ଆଜିକାଲି ସର୍ବସାଧାରଣ ଯେମିତି ସେବା ଓ ସେଲିବ୍ରିଟିମାନଙ୍କ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି, ଏହି ପତ୍ରିକାଟି ହେଉଛି ତା’ର ବିକଳ୍ପ। ମୁଖ୍ୟତଃ ବୟୋଜ୍ୟେଷ୍ଠ ବ୍ୟକ୍ତି-ସମ୍ବଳିତ ଏହି ପତ୍ରିକାଟିର ଜାନୁୟାରୀ-ଜୁନ୍ ୨୦୨୦ରେ ପ୍ରସାରିତ ସଂଖ୍ୟା ଥିଲା ୪୭, ୧୦୭। ପତ୍ରିକା ତରଫରୁ ପ୍ରତିବର୍ଷ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଦି ଓଲ୍ଡି ଅଫ ଦି ୟିଅର(ଟିଓଓଟିଓ୍ବାଇ) ଭାବେ ସମ୍ମାନିତ କରାଯାଏ। ୨୦୧୧ରେ ପ୍ରିନ୍ସ ଫିଲିପ, ୨୦୧୭ରେ ପ୍ରଧାନମନ୍ତ୍ରୀ ଡେଭିଡ୍ କମରୁନଙ୍କ ମା’ଙ୍କୁ ଏହି ଉପାଧି ପାଇଁ ପ୍ରସ୍ତାବ ଦିଆଯାଇଥିଲା। ପ୍ରକାଶଯୋଗ୍ୟ ଯେ, ଅତୀତରେ ଅନେକ ଓସ୍କାର-ବିଜୟୀ, ଅଭିନେତା, ନୋବେଲ ବିଜୟୀ ଇତ୍ୟାଦି ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ସମ୍ମାନିତ ହୋଇଛନ୍ତି। ୨୦୨୧ ପାଇଁ ବ୍ରିଟେନର ୯୫ବର୍ଷ ବୟସ୍କା ରାଣୀ ଏଲିଜାବେଥଙ୍କୁ ଏହି ଉପାଧି ଯଚା ଯାଇଥିଲା। କିନ୍ତୁ ସେ ଏହି ପ୍ରସ୍ତାବକୁ ବିନମ୍ରତା ସହ ପ୍ରତ୍ୟାଖ୍ୟାନ କରିଥିଲେ, ଯଦିଓ ତାଙ୍କର ମା’ ଏଲିଜାବେଥ ଆଙ୍ଗେଲା ଲିଅନ(୧୯୦୦-୨୦୦୨) ଏହା ସାଦରେ ଗ୍ରହଣ କରିଥିଲେ।
ତେବେ ୨୦୨୧ରେ ସଂପ୍ରତି ରାଣୀ ଥିବା କୁଇନ ଏଲିଜାବେଥ(ଲଣ୍ଡନରେ ୧୯୨୬ରେ ଜନ୍ମିତ) ୯୫ବର୍ଷରେ ପହଞ୍ଚିଥିବା ସତ୍ତ୍ୱେ ଏହା ଅସ୍ବୀକାର କରିବା ବେଳେ ଯାହା କହିଛନ୍ତି ପୁରସ୍କାର-ମଣ୍ଡଳୀର ଚେୟାରମ୍ୟାନ ଗ୍ଲାଇସ ବ୍ରାଣ୍ଡେଥ ତାହା ପ୍ରକାଶ କରିଛନ୍ତି। ଏହାର ସାରାଂଶ ହେଉଛି, ଜଣେ କେତେ ଦୂର ବୁଢ଼ା(ଢ଼ୀ), ଏହା ତା’ର ବୟସ ନୁହେଁ, ତା’ର ଅନୁଭବ ଓ ମାନସିକତା ଉପରେ ନିର୍ଭର କରେ। ସେ ନିଜଠାରେ ବୃଦ୍ଧତ୍ୱ ଦେଖି ପାରୁ ନ ଥିବାରୁ ଉପାଧିଟି ଅନ୍ୟ କୌଣସି ଯୋଗ୍ୟ ବ୍ୟକ୍ତିଙ୍କୁ ଦିଆଯାଉ। (ଓ୍ବାନ୍ ଡଜ୍ନଟ ଫିଲ ଓଲ୍ଡ, ସେସ୍ ୯୫-ଲିୟର ଓଲ୍ଡ କୁଇନ ଏଲିଜାବେଥ, ରୟଟରସ, ୧୯ ଅକ୍ଟୋବର ୨୦୨୧)।
ଡାକ୍ତରମାନେ ବୃଦ୍ଧକାଳ ସମ୍ପର୍କରେ ଯାହା କୁହନ୍ତୁ ନା କାହିଁକି, ଆମେ ବୁଢ଼ା(ଢ଼ୀ) ନା ନାହିଁ, ତାହା ଆମେ ନିଜେ ନିଷ୍ପତ୍ତି ନେବୁ। ଏହି ମାମଲାରେ ଡାକ୍ତରମାନେ ଦୂରରେ ରହନ୍ତୁ ଏହା ହେଉଛି ଅଧିକାଂଶ ବ୍ୟକ୍ତିଙ୍କ ମତ। ସତେ ଯେମିତି ବୁଢ଼ା ଶବ୍ଦରେ ଟାହିଟାପରା ଅନ୍ତର୍ନିହିତ। ତେଣୁ ବୁଢ଼ାକୁ ବୁଢ଼ା ବୋଲି ଡାକନି। ସେମିତି ବୁଢ଼ୀ ପାଇଁ ମଧ୍ୟ। କାରଣ ବୁଢ଼ା ହେଉଛି ଏକ ବ୍ୟଙ୍ଗ-ସୂଚକ ଶବ୍ଦ। ଏହା ଅପମାନଜନକ। ମୋଟାମୋଟି ଭାବେ ଏମନ୍ତ ବିଚାରବହୁଳ ଭାବେ ଆମ ସମାଜରେ ସଂପ୍ରତି ପ୍ରଚଳିତ ହୋଇଥିବାରୁ ଏହି ମାମଲାରେ ଆମେ ଖବରଦାର ହୋଇଯିବା ଉତ୍ତମ; ନିରାପଦ ମଧ୍ୟ।
ମୋ: ୯୦୭୮୭୪୩୮୪୩