Categories: ଜାତୀୟ

ଆନ୍ଦୋଳନ ପାଇଁ ପଞ୍ଜାବ ଛାଡ଼ି ଦିଲ୍ଲୀ ଚାଲିଯାଅ

ଚଣ୍ଡିଗଡ଼,୧୩।୯: ଗତ ବର୍ଷ ଠାରୁ ଚାଲୁଥିବା ଚାଷୀ ଆନ୍ଦୋଳନ ଉପରେ ପ୍ରଥମ ଥର ଚିନ୍ତା ବ୍ୟକ୍ତ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ଆନ୍ଦୋଳନ କାରଣରୁ ପଞ୍ଜାବ ଅର୍ଥନୀତି ଆଗେଇ ପାରୁନାହିଁ। କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନରେ ଭାଗ ନେଉଥିବା ଚାଷୀଙ୍କୁ ପଞ୍ଜାବ ଛାଡ଼ି ଦିଲ୍ଲୀ ଚାଲିଯାଅ। ଏଭଳି ମନ୍ତବ୍ୟ କାରଣରୁ ବରିଷ୍ଠ କଂଗ୍ରେସ ନେତା ଅମରିନ୍ଦରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ।

“ତୁମେ ଯଦି କେନ୍ଦ୍ର ସରକାର ଉପରେ ଚାପ ପକାଇବାକୁ ଚାହୁଁଛ, ତେବେ ଦିଲ୍ଲୀ ଚାଲିଯାଅ। ତୁମ ଆନ୍ଦୋଳନରେ ପଞ୍ଜାବକୁ ବିଚଳିତ କରନାହିଁ। ଆଜି ମଧ୍ୟ ରାଜ୍ୟର ୧୧୩ ସ୍ଥାନରେ ଆନ୍ଦୋଳନ ଚାଲିଛି। ଏହା ଆମ ଉନ୍ନତିରେ ବାଧକ ସାଜୁଛି”। ହୋଶିଆରପୁର ଜିଲାର ମୁଖଲିଆନା ଗ୍ରାମରେ ଏକ ସରକାରୀ କଲେଜର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଅମରିନ୍ଦର କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ତାଙ୍କ ନେତୃତ୍ୱରେ ହଜାର ହଜାର ଚାଷୀ ୩ କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରି ରାଜରାସ୍ତାକୁ ଉହ୍ଲାଇଥିଲେ।

ଅମରିନ୍ଦରଙ୍କ ମନ୍ତବ୍ୟ ପରେ ହରିୟାଣାର ଗୃହ ରାଜ୍ୟମନ୍ତ୍ରୀ ଅନିଲ ଭିଜ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଶିରୋମଣୀ ଅକାଳି ଦଳର ନେତ୍ରୀ ହରସିମରତ କୌର ସମାଲୋଚନା କରିଛନ୍ତି। ଅନିଲ ଭିଜ ଟୁଇଟ୍‌ କରିଛନ୍ତି, ଏହା ଏକ ଦାୟିତ୍ୱହୀନ ମନ୍ତବ୍ୟ। ଆଉ ଏଥିରୁ ପ୍ରମାଣ ମିଳିଲା ଯେ, ଅମରିନ୍ଦର ସିଂ ଚାଷୀଙ୍କୁ ଉତ୍ତେଜିତ କରିଥିଲେ।

Share