ଲକ୍ଷ୍ମଣରେଖା ଡିଅଁ ନାହିଁ

ନୁସା ଡୁଆ(ଇଣ୍ଡୋନେସିଆ),୧୫।୧୧:ଇଣ୍ଡୋନେସିଆର ନୁସା ଡୁଆରେ ସୋମବାର ଆରମ୍ଭ ହୋଇଥିବା ଜି୨୦ ସମିଟ୍‌ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗଙ୍କୁ ଭେଟି ତାଇଓ୍ବାନ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ତାଇଓ୍ବାନ ପ୍ରତି ବେଜିଂର ବଳପୂର୍ବକ ଏବଂ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନକୁ ବାଇଡେନ୍‌ ବିରୋଧ କରିଛନ୍ତି। ଜିନ୍‌ଜିଆଙ୍ଗ, ତିବ୍ବତ ଏବଂ ହଂକଂରେ ବେଜିଂର କାର୍ଯ୍ୟ ମାନବାଧିକାର ଉଲ୍ଲଂଘନ କରୁଥିବା ନେଇ ଆମେରିକା ରାଷ୍ଟ୍ରପତି ଚିନ୍ତାବ୍ୟକ୍ତ କରିଛନ୍ତି। ସୋମବାର ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ସାକ୍ଷାତ୍‌ ଆଲୋଚନା ହୋଇଛି। ତେବେ ଜିନ୍‌ପିଙ୍ଗ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବିକାଶ ପାଇଁ ପ୍ରତିଯୋଗିତା ନିମନ୍ତେ ବିଶ୍ୱ ବହୁତ ବଡ଼। ତେଣୁ ତାଇଓ୍ବାନ ପ୍ରସଙ୍ଗରେ ଆମେରିକା ଲକ୍ଷ୍ମଣରେଖା ଅତିକ୍ରମ ନ କରିବାକୁ ସେ ଚେତାବନୀ ଦେଇଛନ୍ତି। ଆମେରିକାକୁ ଚ୍ୟାଲେଞ୍ଜ କରିବା କିମ୍ବା ବର୍ତ୍ତମାନର ଅନ୍ତର୍ଜାତୀୟ ଧାରାକୁ ବେଜିଂ ବଦଳାଇବାକୁ ଚାହେଁ ନାହିଁ ବୋଲି ଜିନ୍‌ପିଙ୍ଗ ସ୍ପଷ୍ଟ କରିଦେଇଛନ୍ତି।
‘ଏକ ଚାଇନା ନୀତି’କୁ ଆମେରିକା ସମର୍ଥନ କରେ ବୋଲି ବୈଠକ ଶେଷରେ ବାଇଡେନ୍‌ ଖବରଦାତା ସମ୍ମିଳନୀରେ ଦୋହରାଇଛନ୍ତି। ବିଶ୍ୱବ୍ୟାପୀ ପ୍ରଭାବ ବିସ୍ତାର ପାଇଁ ଉଦ୍ୟମ ଚଳାଇଥିବା ଦୁଇ ମହାଶକ୍ତି ସେମାନଙ୍କ ମଧ୍ୟରେ ରହିଥିବା ମତପାର୍ଥକ୍ୟ ଦୂର କରିବା ଏହି ଆଲୋଚନାର ଉଦ୍ଦେଶ୍ୟ। ଚାଇନା ସହ ନୂଆ ଶୀତଳ ଯୁଦ୍ଧ ହେବା ଆବଶ୍ୟକ ନ ଥିବା ସେ ବିଶ୍ୱାସ କରନ୍ତି ବୋଲି ବାଇଡେନ୍‌ କହିଛନ୍ତି। ଆଣବିକ ଯୁଦ୍ଧ ହେବା ଆଦୌ ଉଚିତ ନୁହେଁ, କାରଣ ଏହାଦ୍ୱାରା କାହାର ବିଜୟ ହେବ ନାହିଁ ବୋଲି ବାଇଡେନ୍‌ ଓ ଜିନ୍‌ପିଙ୍ଗ ସହମତ ହୋଇଛନ୍ତି। ୟୁକ୍ରେନ୍‌ ଉପରେ ରୁଷିଆ ୯ ମାସ ହେଲା ଆକ୍ରମଣ ଚଳାଇଥିବାବେଳେ ଅଣୁଅସ୍ତ୍ର ପ୍ରୟୋଗ ଧମକ ଦେଉଥିବାରୁ ଦୁଇ ନେତା ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

Share