ଖାଅନି ଆଣ୍ଟିବାୟୋଟିକ୍ସ

ଶୁଣିବାକୁ ମିଳେ ସମ୍ରାଟ ଆକବର କାଳେ ଥରେ ବୀରବଲ୍‌ଙ୍କୁ ପଚାରିଲେ, କୁହ ଭାରତରେ କେଉଁ ବୃତ୍ତିର ଅଧିକ ଲୋକ ଅଛନ୍ତି। ବୀରବଲ୍‌ ତତ୍‌କ୍ଷଣାତ୍‌ ଉତ୍ତର ଦେଲେ-ବୈଦ୍ୟଙ୍କ ସଂଖ୍ୟା ବେଶି। ଏହା ଶୁଣିବା ପରେ ଏହାର ପ୍ରମାଣ ଦେବାକୁ ଆକବର କହିବାରୁ ସେ ତାଙ୍କୁ ଶସ୍ୟକ୍ଷେତ୍ର ଆଡ଼କୁ ନେଇଯାଇଥିଲେ। ହିଡ଼ ଉପରେ ଚାଲୁଥିବା ବେଳେ ଆକବର ତଳେ ପଡ଼ିଯିବାରୁ ସେଠାରେ ଚାଷ କରୁଥିବା ଓ ଅନ୍ୟାନ୍ୟ କାର୍ଯ୍ୟରେ ଜଡ଼ିତ କିଛି ବ୍ୟକ୍ତି ଆସି କହିଲେ, ସମ୍ରାଟ ଅମୁକ ଗଛର ରସ ଲଗାଇ ଦିଅନ୍ତୁ, ଆଉ କିଛି ସମୁକ ଗଛର ଚେରକୁ ଘୋରି ଲଗାଇବା ଲାଗି ପରାମର୍ଶ ଦେଇଥିଲେ। ଏହା ଦେଖି ଆକବରଙ୍କୁ ବୀରବଲ୍‌ କହିଲେ, ସମ୍ରାଟ ନିଶ୍ଚୟ ପ୍ରଶ୍ନର ଉତ୍ତର ପାଇଥିବେ। ସେତେବେଳର ସେହି ବୈଦ୍ୟମାନଙ୍କ ପେସାକୁ ଆଧୁନିକ ଭାରତରେ ଦୀର୍ଘକାଳ ପାଠପଢ଼ିବା ପରେ ଲୋକେ କହୁଛନ୍ତି ‘ଡାକ୍ତର’। ଏଠାରେ ଏହା କହିବାର ଅର୍ଥ ହେଲା ଭାରତରେ ଅଧିକାଂଶ ଲୋକ ଡାକ୍ତରଙ୍କ ଭଳି ଏଇ ଔଷଧ ଖାଇଲେ ରୋଗ ଭଲ ହୋଇଯିବ କିମ୍ବା ସେଇ ଔଷଧ ଖାଇଲେ ସବୁ ଠିକ୍‌ ହୋଇଯିବ ଭାବି ଔଷଧ ଦୋକାନରୁ ତାହାକୁ କିଣିଆଣି ଖାଇଥାଆନ୍ତି। ଓଭର ଦି କାଉଣ୍ଟର (ଓଟିସି) ବେପାର ଏଠି ବେଶି ଚାଲେ। କେତେକ ରୋଗୀ କ୍ୱାକ୍‌ଙ୍କ ଉପରେ ଭରସା କରୁଥିବା ବେଳେ ଔଷଧ ଦୋକାନରୁ ମଧ୍ୟ ପଚାରି ଔଷଧ କିଣି ନେଇ ଖାଇଥାଆନ୍ତି। ପୁଣି ଦେଖାଯାଉଛି ଦୋକାନରେ ଅଧିକ ଆଣ୍ଟିବାୟୋଟିକ୍ସ ବିକ୍ରି ହେଉଛି। କୋଭିଡ୍‌-୧୯ ପରେ କେବଳ ଡୋଲୋ ନୁହେଁ, ଆଣ୍ଟିବାୟୋଟିକ୍ସର ବହୁଳ ବ୍ୟବହାର ହୋଇଚାଲିଛି। ଏହାକୁ ରୋକିବା ଲାଗି ନିକଟରେ କେନ୍ଦ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ଯେ, ରୋଗୀଙ୍କୁ ଡାକ୍ତର ଆଣ୍ଟିବାୟୋଟିକ୍ସ ପ୍ରେସ୍‌କ୍ରାଇବ୍‌ କରିବା ବେଳେ ତାହାର କାରଣ ଦର୍ଶାଇବେ। ଏହା ପରେ ଓଡ଼ିଶା ସରକାରଙ୍କ ଡିରେକ୍ଟୋରେଟ୍‌ ଅଫ୍‌ ଡ୍ରଗ୍‌ କଣ୍ଟ୍ରୋଲ ଆଉ ପାଦେ ଆଗେଇ ଯାଇ ଔଷଧ ଦୋକାନୀମାନଙ୍କୁ ଚେତାବନୀ ଦେଇଛନ୍ତି ଯେ, ବିନା ପ୍ରେସ୍‌କ୍ରିପ୍‌ଶନରେ କେହି ଆଣ୍ଟିବାୟୋଟିକ୍ସ ବିକ୍ରି କରିପାରିବେ ନାହିଁ।
ସାଧାରଣତଃ ବ୍ୟାକ୍ଟେରିଆଜନିତ ସଂକ୍ରମଣରେ ପୀଡ଼ିତ ରୋଗୀଙ୍କ ପାଇଁ ଆଣ୍ଟିବାୟୋଟିକ୍ସ ଖାଇବା ଲାଗି ଡାକ୍ତର ପରାମର୍ଶ ଦେଇଥାଆନ୍ତି। ସେଥିରେ ରୋଗୀଙ୍କୁ କେତେ ଥର, କେତେ ପରିମାଣର ଓ କେତେ ଦିନ ଖାଇବାକୁ ପଡ଼ିବ ତାହା କୁହାଯାଇଥାଏ। ହେଲେ ଅନେକ କ୍ଷେତ୍ରରେ ଦେଖାଯାଉଛି, ରୋଗୀ ଏହାର ସମ୍ପୂର୍ଣ୍ଣ ଡୋଜ୍‌ ନ ଖାଇ ସାମାନ୍ୟ ରୋଗ ଉପଶମ ହେବା ମାତ୍ରେ ତାହାକୁ ବନ୍ଦ କରିଦେଉଛନ୍ତି। ଏହା ଦ୍ୱାରା ପାଥୋଜେନ୍‌ (ବୀଜାଣୁ ବା ଭୂତାଣୁ, ଯାହାଦ୍ୱାରା ରୋଗ ସୃଷ୍ଟି ହୋଇଥାଏ)ର ଶକ୍ତି ହ୍ରାସ ପାଇବା ଅପେକ୍ଷା ବଢ଼ିଯାଉଛି। ଅନ୍ୟପକ୍ଷରେ ମଣିଷ ଦେହରେ ରୋଗ ପ୍ରତିରୋଧକ ଶକ୍ତି କମିଯାଉଥିବା ବେଳେ ରୋଗକାରକ ଶକ୍ତି ଅଧିକ ବଳ ପାଇଯାଉଛି। ଏହା ଅନୁମାନ କରାଗଲାଣି ଯେ, ପୃଥିବୀରେ ଯେଉଁଭଳି ଭାବେ ରୋଗ ସୃଷ୍ଟି ହେଲାଣି ତାହାକୁ ପ୍ରତିରୋଧ କରିବା ଲାଗି ଅଳ୍ପମାତ୍ରାର ଆଣ୍ଟିବାୟୋଟିକ୍ସ ଥିବାରୁ ତାହା ଚାହିଦା ମେଣ୍ଟାଇବାରେ ଆଦୌ ସଫଳ ହେବ ନାହିଁ। ତେଣୁ ଆଣ୍ଟିବାୟୋଟିକ୍ସର ବହୁଳ ବ୍ୟବହାର ରୋଗୀର ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଚାଲିବା ଥୟ।
ଅନ୍ୟପକ୍ଷରେ ଜ୍ୱର, ଥଣ୍ଡା ଭଳି ଭୂତାଣୁଜନିତ ରୋଗର ଆୟୁଷ ଅଳ୍ପଦିନ ଥାଏ ବୋଲି ସମସ୍ତେ ଜାଣନ୍ତି। ସେଥିପାଇଁ କୁହାଯାଇଥାଏ ଭାଇରାଲ ହୋଇଛି ତିନି ଚାରିଦିନ ହେବା ପରେ ଛାଡ଼ିଯିବ। ଏହା ମଧ୍ୟ ଅନେକାଂଶରେ ସତ ହୋଇଥାଏ। ହେଲେ ବହୁ ରୋଗୀ ବ୍ୟସ୍ତ ହୋଇଯାଇ ଡାକ୍ତରଙ୍କୁ ଆଣ୍ଟିବାୟୋଟିକ୍ସ ପ୍ରେସ୍‌କ୍ରାଇବ୍‌ କରିବାକୁ କହିଥାଆନ୍ତି କିମ୍ବା ସିଧାସଳଖ ଦୋକାନକୁ ଯାଇ ତାହା କଣିଆଣିଥାଆନ୍ତି। ସ୍ଥଳବିଶେଷରେ ଔଷଧ ଦୋକାନୀ ମଧ୍ୟ ରୋଗୀକୁ ଆଣ୍ଟିବାୟୋଟିକ୍ସ ଖାଇବା ଲାଗି ପରାମର୍ଶ ଦେଇ ନିଜ ବେପାର ବଢ଼ାଇଥାଆନ୍ତି। ଏଥିସହିତ ଏଠାରେ ମନେପକାଇ ଦିଆଯାଇପାରେ ଯେ, କୋଭିଡ୍‌ ସମୟରେ ପ୍ରବଳ ମାତ୍ରାରେ ‘ଆଜିଥ୍ରୋମାଇସିନ୍‌’ ବିକ୍ରି ହୋଇଥିଲା। ସେତେବେଳେ ଡାକ୍ତର ଯାହାଙ୍କୁ ଏହା ଖାଇବା ଲାଗି ପରାମର୍ଶ ଦେଇଥିଲେ ସେହି ଲୋକ ଅନ୍ୟଜଣଙ୍କଠାରେ ସେଭଳି ଲକ୍ଷଣ ଦେଖିବା ପରେ ସେ ଚିକିତ୍ସକଙ୍କ ଭଳି ତାହା ଖାଇବାକୁ କହିଦେଉଥିଲେ। ଯଦିଓ କରୋନା ସମୟରେ ଏହାର ଅଧିକ ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା, ତଥାପି ସାଧାରଣରେ ଅନେକ ଔଷଧକୁ ରୋଗୀ ବିନା ପ୍ରେସ୍‌କ୍ରିପଶନରେ ଖାଇ ଦେଇଥାଆନ୍ତିି। ଏହା ନିଶ୍ଚିତ ଭାବେ ରୋଗୀ ପାଇଁ କ୍ଷତିକାରକ।
ଉଭୟ କେନ୍ଦ୍ର ହୁଅନ୍ତୁ ବା ରାଜ୍ୟ ସରକାର ଆଣ୍ଟିବାୟୋଟିକ୍ସ ଅପବ୍ୟବହାର ରୋକିବା ଲାଗି ନେଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ଯେଉଁ ଡାକ୍ତର ବା ଔଷଧ ଦୋକାନୀ ସରକାରୀ ନିର୍ଦ୍ଦେଶକୁ ଅବମାନନା କରିବେ ସେମାନଙ୍କୁ ଦଣ୍ଡିତ କରାଯିବା ଦରକାର। ଏଥିସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ଏ ଦିଗରେ ଏକ ଅଭିଯାନ ଚଳାଇବାର ଆବଶ୍ୟକତା ପଡ଼ିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri