Categories: ଜାତୀୟ

ଭୁଲି ହେବନି ଦେଶ ବିଭାଜନ ବ୍ୟଥା…

ନୂଆଦିଲ୍ଲୀ,୧୪।୮: ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭାରତ-ପାକିସ୍ତାନ ବିଭାଜନ ବ୍ୟଥା ସମ୍ପର୍କରେ ବଖାଣିଛନ୍ତି। ସେ କହିଛନ୍ତି, ଦେଶର ବିଭାଜନର ଦୁଃଖଦ ସ୍ଥିତି କେବେ ବି ଭୁଲିପାରିବ ନାହିଁ। ଲକ୍ଷ ଲକ୍ଷ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡିଲା ଏବଂ ଜୀବନ ମଧ୍ୟ ହରାଇବାକୁ ପଡିଲା। ପ୍ରଧାନମନ୍ତ୍ରୀ ୧୪ ଅଗଷ୍ଟକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରି କହିଛନ୍ତି ଯେ ବିଭାଜନରେ ବିସ୍ଥାପିତ ହୋଇ ପ୍ରାଣ ହରାଇଥିବା ଆମର ଲକ୍ଷ ଲକ୍ଷ ଭଉଣୀ ଏବଂ ଭାଇଙ୍କ ସଂଗ୍ରାମ ତଥା ବଳିଦାନକୁ ସ୍ମରଣ କରି ଏହିି ଦିବସ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମଣିଷ ମଣିଷ ମଧ୍ୟରେ ଭେଦଭାବର ଲୋପ କରିବାକୁ ଏହି ଦିନ ପ୍ରେରଣା ଯୋଗାଇବ।
ପ୍ରଧାନମନ୍ତ୍ରୀ କହିଛନ୍ତି, # ପାର୍ଟିସନ ହରରର୍ସ ରେମବ୍ରେନ୍ସ ଡେ’ ର ଏହି ଦିନ କେବଳ ଭେଦଭାବ, ଶତ୍ରୁତା ଏବଂ ଦୁଷ୍କର୍ମର ଜହରକୁ ଦୂର କରିବା ପାଇଁ ପ୍ରେରଣା ଯୋଗାଇବ ନାହିଁ, ବରଂ ଏହା ଏକତା, ସାମାଜିକ ସମନ୍ବୟ ଏବଂ ମାନବୀୟ ଭାବନାକୁ ମଧ୍ୟ ସୁଦୃଢ଼ କରିବ। ବିଭାଜନ ଆକାରରେ ସ୍ବାଧୀନତାର ମୂଲ୍ୟ ଦେବାକୁ ପଡିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ୧୫ ଅଗଷ୍ଟ ୧୯୪୭ ରେ ଦେଶ ସ୍ବାଧୀନତା ପାଇଲା। କିନ୍ତୁ ବ୍ରିଟିଶ ଶକ୍ତି ବିଭାଜନ ଭଳି ବିପୁଳ ମୂଲ୍ୟ ବାବଦରେ ଭାରତକୁ ସ୍ବାଧୀନତାର ସୁଖ ଦେଇଥିଲେ। ୧୪ ଅଗଷ୍ଟରେ ଅଖଣ୍ଡ ଭାରତକୁ ଭାରତ ଏବଂ ପାକିସ୍ତାନକୁ ଭାବେ ଦୁଇ ଭାଗ କରି ଦିଆଯାଇଥିଲା। ୧୫ ଅଗଷ୍ଟ ସକାଳେ ଲୋକେ ନିଜ ଭିଟାମାଟି ଛାଡ଼ି ଟ୍ରେନ, ଘୋଡା, ଖଚର ଏବଂ ପାଦରେ ପାକିସ୍ତାନରୁ ହିନ୍ଦୁସ୍ଥାନ ଏବଂ ଭାରତରୁ ପାକିଓ୍‌ଥାନକୁ ଆସିଥିଲେ ସେମାନଙ୍କ ମୁହଁରୁ ଖୁସି ହଜିଯାଇଥିଲା। ବିଭାଜନ ସମୟରେ ଉଭୟ ଦେଶରେ ଦଙ୍ଗା ଓ ହିଂସା ଦେଖାଦେଇଥିଲା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା। କେତେକ ରିପୋର୍ଟରେ ଏହି ସଂଖ୍ୟାକୁ ୧୦ ଲକ୍ଷରୁ ୨୦ ଲକ୍ଷ ପର୍ଯ୍ୟନ୍ତ କୁହାଯାଇଛି। ଏହି ଦୁଃଖଦ ଘଟଣା କାହାକୁ ଛାଡି ନ ଥିଲା। ମହିଳା, ଛୋଟ ପିଲା, ବୃଦ୍ଧ ସମସ୍ତ ବର୍ଗର ଲୋକେ ଏହି ହିଂସାର ଶିକାର ହୋଇଥିଲେ।

Share