ଥଣ୍ଡାପଡୁନି ମଣିପୁର

ଏବେ ଭାରତ-କାନାଡା ସମ୍ପର୍କ ବିଗିଡ଼ି ଯାଇଥିବାରୁ ତାହା ଉପରେ ଦେଶବ୍ୟାପୀ ଆଲୋଚନା ଜାରି ରହିଛି। କ’ଣସବୁ ପଦକ୍ଷେପ ନେଲେ ସ୍ଥିତିରେ ଉନ୍ନତି ଆସିବ ସରକାରୀ ସ୍ତରରୁ ଆରମ୍ଭ କରି ଗଣମାଧ୍ୟମ ଯାଏ ସବୁଆଡ଼େ ଏହି ପ୍ରସଙ୍ଗ ଉପରେ ନଜର। କୌଣସି ଦେଶ ସହ ଥରେ ବୈଦେଶିକ ସମ୍ପର୍କ ବିଗିଡ଼ିଯିବା ଅର୍ଥ ତାହାକୁ ଫେରାଇ ଆଣିବା କଷ୍ଟକର। ସେଥିପାଇଁ ସବୁ ସ୍ତରରେ ପ୍ରୟାସ ହେବା ଦରକାର। ଏଥିସହିତ ଦେଶର ଆଭ୍ୟନ୍ତରୀଣ ସମସ୍ୟାକୁ ସମାନ ଭାବେ ଗୁରୁତ୍ୱ ଦେବା ଯଥେଷ୍ଟ ଜରୁରୀ। କାରଣ ଏହା ଉଗ୍ର ରୂପ ଧାରଣ କଲେ ତାହାକୁ ସମ୍ଭାଳିବା ଅତ୍ୟନ୍ତ ଜଟିଳ। ଏଠାରେ ମଣିପୁର ଜାତିଗତ ସଂଘର୍ଷ କଥା ଉଲ୍ଲେଖଯୋଗ୍ୟ। ୨୦୨୩ ମେ’ରୁ ଉପତ୍ୟକା ଅଧିବାସୀ ମେଇତି ଓ ପାହାଡ଼ିଆ ଅଞ୍ଚଳରେ ବାସ କରୁଥିବା କୁକି ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଲାଗି ରହିଛି। ସଦ୍ୟ ଘଟଣାକ୍ରମରେ ସନ୍ଦେହ କରାଯାଉଥିବା କୁକି ଉଗ୍ରପନ୍ଥୀମାନେ ଅକ୍ଟୋବର ୧୯ରେ ମଣିପୁର ଜିରିବାମ ଜିଲାରେ ଏକ ପୋଲିସ ଷ୍ଟେଶନ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣକୁ ପ୍ରତିହତ କରିବାକୁ ଯାଇ ପୋଲିସ ପାଲଟା ଆକ୍ରମଣ କରିଥିଲା। ଏହି ଘଟଣାରେ କାହାରି ମୃତ୍ୟୁ ଘଟି ନ ଥିଲେ ମଧ୍ୟ ବୋମା ପଡ଼ିଯିବାରୁ ଗୋଟେ ଘର ଜଳିଯାଇଛି। ତେବେ ଜିରିବାମ ଜିଲାରେ କେତେକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଫାୟାରିଂ ହୋଇଥିବା ଖବର ମିଳିଛି। ସୂଚନାଯୋଗ୍ୟ ଯେ, ମଣିପୁରରେ ଆରମ୍ଭ ହୋଇଥିବା ଜାତିଗତ ହିଂସାରେ ସରକାରୀ ହିସାବ ଅନୁଯାୟୀ ୨୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୫୦ ହଜାର ଲୋକ ବାସଚ୍ୟୁତ ହୋଇଛନ୍ତି। ବାସ୍ତବରେ ଏହି ସଂଖ୍ୟା ଆହୁରି ଅଧିକ ବୋଲି କୁହାଯାଉଛି।
ହିଂସାର ମୂଳକୁ ଦେଖିଲେ କୁକି ଆଦିବାସୀମାନେ ମଣିପୁରରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ। ମେଇତି ଉଚ୍ଚବର୍ଗର ଓ ଉପତ୍ୟକା ଅଞ୍ଚଳରେ ରହୁଥିଲେ ମଧ୍ୟ ସରକାରୀ ସୁବିଧା ପାଇବା ସକାଶେ ଆଦିବାସୀ ମାନ୍ୟତା ଦାବି କରି ଆସୁଛନ୍ତି। ଗତବର୍ଷ ମେଇତି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବା ଲାଗି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇ ସେ ସଂକ୍ରାନ୍ତରେ କେନ୍ଦ୍ରକୁ ସୁପାରିସ କରାଯାଉ ବୋଲି କହିଥିଲେ। ତା’ ପରଠାରୁ ସଂଘର୍ଷ ଜାରି ରହିଛି। ମହିଳାଙ୍କୁ ରାସ୍ତାରେ ଉଲଗ୍ନ କରି ଚଲାଇବାଠାରୁ ଆରମ୍ଭ କରି ନିର୍ଯାତନାର ଅନେକ ଘଟଣା ପଦାକୁ ଆସିଛି। ଏଭଳି ଅସ୍ବାଭାବିକ ସ୍ଥିତି ଲାଗି ରହିଥିବାରୁ ଏହି ରାଜ୍ୟରେ ଉଗ୍ରପନ୍ଥୀମାନଙ୍କ ଷଡ଼ଯନ୍ତ୍ର ଦାନା ବାନ୍ଧିଲାଣି। ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କ ଦୁର୍ବଳ ନେତୃତ୍ୱ ଥିବା ସତ୍ତ୍ୱେ ତାଙ୍କୁ ଅଦ୍ୟାବଧି ହଟାଯାଇପାରି ନାହିଁ। ଅବଶ୍ୟ ଇତିମଧ୍ୟରେ ମଣିପୁରର ୧୯ ଭାଜପା ବିଧାୟକ ବୀରେନ ସିଂ ଶାନ୍ତି ଫେରାଇ ଆଣିବାରେ ବିଫଳ ହେବା ଦର୍ଶାଇ ତାଙ୍କୁ ହଟାଇବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପତ୍ର ଲେଖିଛନ୍ତି। କୁହାଯାଉଛି ଭାଜପା ଶାସିତ ଏହି ରାଜ୍ୟରେ କେନ୍ଦ୍ର ଯେଭଳି ତତ୍‌କ୍ଷଣାତ୍‌ ହସ୍ତକ୍ଷେପ କରି ହିଂସାକୁ ରୋକିବା ଲାଗି ଉଦ୍ୟମ କରିବା କଥା ତାହା କରିପାରି ନାହିଁ। ୨୦୨୩ ମେ’ରୁ ହିଂସା ଘଟିଥିଲେ ହେଁ ୨୦୨୪ ଅକ୍ଟୋବର ୧୫ରେ ପ୍ରଥମ ଥର ପାଇଁ ମେଇତି, ନାଗା ଓ କୁକି ବିଧାୟକମାନେ ଦିଲ୍ଲୀଠାରେ କେନ୍ଦ୍ର ସରକାରଙ୍କୁ ଭେଟିଥିଲେ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କିମ୍ବା ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ଉପସ୍ଥିତ ନ ଥିଲେ। ତେଣୁ ଏଭଳି ଉପରଠାଉରିଆ ଆଲୋଚନାର ନିଷ୍କର୍ଷ କ’ଣ ହୋଇପାରେ ସଦ୍ୟ ହିଂସା ତାହା ଦର୍ଶାଇଛି। କୁହାଯାଉଥିଲା ମୁଖ୍ୟମନ୍ତ୍ରୀ ମେଇତି ସମ୍ପ୍ରଦାୟର ହୋଇଥିବାରୁ କୁକିମାନେ ଅସହାୟ ହୋଇପଡ଼ିଛନ୍ତି। ବର୍ତ୍ତମାନର ସ୍ଥିତି ଦେଖିଲେ କୁକି ଉଗ୍ରପନ୍ଥୀମାନେ ବାହ୍ୟ ସମର୍ଥନରେ ଏବେ ଅଧିକ ସକ୍ରିୟ ହେଲେଣି ବୋଲି କୁହାଯାଉଛି।
ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁର ପଡ଼ୋଶୀ ଦେଶର ଉଗ୍ରପନ୍ଥୀଙ୍କ କାର୍ଯ୍ୟକଳାପ ଯୋଗୁ ଅତୀତରେ ଘୋର ପ୍ରଭାବିତ ହୋଇଛି। ମେଇତି ଓ କୁକିଙ୍କ ଜାତିଗତ ସଂଘର୍ଷ ଏବେ ସେମାନଙ୍କ ଭିତରେ ସୀମିତ ନ ରହି ବାହ୍ୟ ଶକ୍ତି ଦ୍ୱାରା କବଳିତ। ଆଗକୁ ଯଦି ଏହା ଭୀଷଣ ରୂପ ଧାରଣ କରିବ, ତାହାକୁ ନିୟନ୍ତ୍ରଣ କରିବା କଷ୍ଟକର। ତେଣୁ କେନ୍ଦ୍ର ସରକାର ମଣିପୁର ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ତୁରନ୍ତ ପଦକ୍ଷେପ ନେବା ଦରକାର।