‘ମୋ ସ୍ତ୍ରୀଙ୍କୁ ମାରନାହିଁ, ସେ ଗର୍ଭବତୀ’

ତେହରାନ,୧୦ା୧୦: ଇରାନର ରଫସାନଜାନ୍‌ ସହରରେ ଜଣେ ବ୍ୟକ୍ତି ପୋଲିସ ବର୍ବରତାରୁ ନିଜ ସ୍ତ୍ରୀଙ୍କୁ ରକ୍ଷା କରିବାକୁ ଯାଇ ଚିତ୍କାର କରୁଛନ୍ତି, ମୋ ସ୍ତ୍ରୀଙ୍କୁ ମାରନାହିଁ, ସେ ଗର୍ଭବତୀ ଅଛନ୍ତି। ରାଜଧାନୀ ତେହରାନସ୍ଥିତ ଏକ ହାଇସ୍କୁଲରେ ସୁରକ୍ଷା ବଳ ଛାତ୍ରୀମାନଙ୍କ ଉପରେ ଦମନଲୀଳା ଚଳାଇଥିବା ଅନେକ ଭିଡିଓ ଟୁଇଟରରେ ବହୁଳ ପ୍ରସାରିତ ହୋଇଛି।

ନରଓ୍ବେର ଇରାନ ହ୍ୟୁମାନ୍‌ ରାଇଟ୍ସ ପକ୍ଷରୁ କୁହାଯାଇଛି ଯେ, ଦେଶବ୍ୟାପୀ ସରକାର ବିରୋଧୀ ଆନ୍ଦୋଳନ ବେଳେ ଅନୂ୍ୟନ ୧୯ ଶିଶୁଙ୍କ ସମେତ ୧୮୫ ଜଣଙ୍କ ମୃତ୍ୟୁ ଘଟିଲାଣି, ଯାହାଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା। ଅନ୍ୟପକ୍ଷେ ଇରାନର ଇବ୍ରାହିମ୍‌ ରଇସି ସରକାର ଏହି ବିକ୍ଷୋଭକୁ ଆମେରିକା ସମେତ ଅନ୍ୟ ଶତ୍ରୁରାଷ୍ଟ୍ରଗୁଡ଼ିକର ଷଡ଼ଯନ୍ତ୍ର ବୋଲି ଅଭିହିତ କରିଛନ୍ତି।

ପ୍ରକାଶ ଯେ, ଉଚିତ ଢଙ୍ଗରେ ହିଜାବ ପିନ୍ଧି ନ ଥିବା ଦର୍ଶାଇ ଇରାନର ଧର୍ମୀୟ ବ୍ୟାପାର ପୋଲିସ ୨୨ ବର୍ଷୀୟା ମହସା ଅମିନୀଙ୍କୁ ପିଟି ହତ୍ୟା କରିବା ପରଠାରୁ ମୁଣ୍ଡ ଟେକିଥିବା ଆନ୍ଦୋଳନ ଏବେ ବିଭିନ୍ନ ଦେଶକୁ ବ୍ୟାପିସାରିଲାଣି। ବିକ୍ଷୋଭକାରୀମାନେ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଇସ୍ତଫା ଦାବିରେ ଅଡ଼ିବସିଥିବାବେଳେ ପୋଲିସ ସେମାନଙ୍କୁ ଖୋଜି ଖୋଜି ଗୁଳି କରୁଛି। ଏହି ପରିପ୍ରେକ୍ଷୀରେ ଆମେରିକା ଓ କାନାଡା ଇରାନୀୟ କର୍ତ୍ତୃପକ୍ଷଙ୍କ ବିରୋଧରେ କଟକଣା ଜାରି କରିଥିବାବେଳେ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ସହ ଯାତ୍ରା ଉପରେ କଟକଣା ଲଗାଇବାକୁ ୟୁରୋପୀୟ ସଂଘ (ଇୟୁ) ବିଚାର କରୁଛି। ଯେଉଁମାନେ ମହିଳା ଓ ଝିଅଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି, ଅପହରଣ କରି ମନମୁଖି ଜେଲରେ ଭରୁଛନ୍ତି ସେମାନେ ଇତିହାସର ଭୁଲ୍‌ ପାର୍ଶ୍ୱରେ ଛିଡ଼ା ହୋଇଛନ୍ତି ବୋଲି ଜର୍ମାନ ବହିର୍ବ୍ୟାପାର ମନ୍ତ୍ରୀ ଆନ୍ନାଲେନା ବେରବୋକ୍‌ ନିନ୍ଦା କରିଛନ୍ତି।

Share