‘କରୋନାକୁ ଅଣଦେଖା ନ କରି ଅଧିକ ସତର୍କ ରୁହ’

ଭୁବନେଶ୍ୱର, ୧୪ା୯(ବ୍ୟୁରୋ): ନୂଆଦିଲ୍ଲୀର ଜୁହାର୍‌ ପରିବାର ଦ୍ୱାରା ରବିବାର ଆୟୋଜିତ ଇ-‘ନୂଆଁଖାଇ ପରବ୍‌’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ କରୋନାକୁ ଅଣଦେଖା ନ କରି ଅଧିକ ସତର୍କ ରହିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ବର୍ତ୍ତମାନ କରୋନା ଦ୍ୱାରା ଓଡ଼ିଶା ସମେତ ସାରାଦେଶ ପ୍ରଭାବିତ ହୋଇଛି। ତେବେ ଏହି ମହାମାରୀକୁ ବେଖାତିର ନ କରି ଲୋକମାନେ ଲକ୍ଷଣ ଦେଖୁଥିଲେ କୋଭିଡ୍‌ ଟେଷ୍ଟିଂ ସେଣ୍ଟରରେ ପରୀକ୍ଷା କରାଇବାର ଆବଶ୍ୟକତା ଅଛି। କରୋନାର ଅପପ୍ରଚାରଠାରୁ ଦୂରେଇ ରହିବା ସହ ଆଇସିଏମ୍‌ଆର୍‌ର କରୋନା ସମ୍ପର୍କିତ ପ୍ରୋଟୋକଲକୁ ସମସ୍ତେ ପାଳନ କରିବା ଦରକାର। କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା, ହାତ ଧୋଇବା,ଡାକ୍ତରଙ୍କ ପରାମର୍ଶ ନେବା, କରୋନା ଲକ୍ଷଣ ଥିଲେ ପରୀକ୍ଷା କରାଇବା ପାଇଁ ଲୋକଙ୍କୁ ସଚେତନ କରିବାକୁ ଜୁହାର୍‌ ଭଳି ଅନେକ ସାମାଜିକ ସଙ୍ଗଠନକୁ ନିବେଦନ କରିଛନ୍ତି। ସମସ୍ତଙ୍କ ଜୀବନକୁ ସୁରକ୍ଷିତ କରିବା ଓ କରୋନାରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି
କରିବା ଦରକାର। ଗୋଟିଏ ସାମାଜିକ ସଙ୍ଗଠନର ଦାୟିତ୍ୱ କେବଳ ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେବାର ନୁହେଁ ବରଂ ବର୍ତ୍ତମାନ ଓ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଆଗେଇ ଆସିବା ଦରକାର ବୋଲି ସେ କହିଛନ୍ତି। କୃଷିଭିିତ୍ତିକ, ସାମାଜିକ ତଥା ସାଂସ୍କୃତିକ ଗଣପର୍ବ ହେଉଛି ନୂଆଁଖାଇ। ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଭୋଗ ଲାଗି ହେବା, ସ୍ଥାନୀୟ ଜୀବନ ଜୀବିକାକୁ ବଢ଼ାଇବା, ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେବାର ଅନନ୍ୟ ପରମ୍ପରା ନୂଆଁଖାଇ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Share