ବଲାଙ୍ଗୀର ଅଫିସ, ୭ା୧୧: ମମିତା ମେହେର ହତ୍ୟା ଘଟଣାକୁ ନେଇ ତାଙ୍କ ପିତା ଏକ ଭିଡିଓ ବାର୍ତ୍ତାରେ ଝିଅର ଚରିତ୍ର ସଂହାର ନ କରିବା ଏବଂ ଏହାକୁ ନେଇ ରାଜନୀତି ନ କରିବାକୁ ଅନୁରୋଧ କରିଛନ୍ତି। ଭାଇରାଲ ହୋଇଥିବା ଏକ ଭିଡିଓ ବାର୍ତ୍ତାରେ ହତ୍ୟାକାଣ୍ଡର ଶିକାର ହୋଇଥିବା ମମିତାଙ୍କ ପିତା ସୁଚନ୍ଦ୍ର ମେହେର କହିଛନ୍ତି ତାଙ୍କ ଝିଅ ବହୁତ ଭଲ ପିଲା। ମମିତାଙ୍କୁ ହତ୍ୟା ପରେ ଆମେ ସମ୍ପୂର୍ଣ୍ଣ ପରିବାର ଭାଙ୍ଗି ପଡିଛୁ, ବହୁ ଦୁଃଖରେ ଅଛୁ। ହତ୍ୟାକାଣ୍ଡ ବିଷୟରେ ପୋଲିସ ଯେଉଁ ତଦନ୍ତ କରିଛନ୍ତି ସେଥିରେ ଆମେ ସନ୍ତୁଷ୍ଟ। ମମିତା କେବେହେଲେ ହତ୍ୟାକାରୀ ଗୋବିନ୍ଦଙ୍କ ସହ ରାୟପୁର ଯାଇନାହିଁ ବୋଲି ସେ କହିଛନ୍ତି। ତାଙ୍କ ଝିଅର ଚରିତ୍ରକୁ ସଂହାର କରା ନ ଯାଉ ବୋଲି ସୁଚନ୍ଦ୍ର ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ହତ୍ୟା ଘଟଣାକୁ ନେଇ ରାଜନୀତି କରା ନ ଯାଉ ବୋଲି ସେ ରାଜନୈତିକ ଦଳ ଓ ମିଡିଆକୁ ମଧ୍ୟ ଏଥିରେ ଅନୁରୋଧ କରିଛନ୍ତି। ଏସବୁ ବନ୍ଦ କରିବାକୁ ଭିଡିଓରେ ହାତଯୋଡି ଅନୁରୋଧ କରୁଥିବା ଦେଖାଯାଇଛି। ଉକ୍ତ ଭିଡିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ତାଙ୍କର ପୂରା ଭରସା ରହିଛି ଓ ସେ ନ୍ୟାୟ ଦେବେ ବୋଲି ସୁଚନ୍ଦ୍ର କହୁଥିବା ଦେଖାଯାଇଛି। ଏହି ଭିଡିଓଟି ପ୍ରାୟ ୧ ମିନିଟ୍ ଅବଧିର ରହିଛି। ଏହାସହିତ ଝିଅର ସମ୍ପର୍କୀୟ ବଡ଼ବାପା କୌଶିକ ମେହେରଙ୍କ ଅନ୍ୟ ଏକ ୪୨ ସେକେଣ୍ଡର ଭିଡିଓ ମଧ୍ୟ ଭାଇରାଲ ହୋଇଛି। ସେଥିରେ ସେ ମମିତାଙ୍କ ଚରିତ୍ର ସଂହାର କରା ନ ଯାଉ ବୋଲି କହିବା ସହ ପୋଲିସ ତଦନ୍ତରେ ସନ୍ତୋଷ ଅଛନ୍ତି ବୋଲି କହିଛନ୍ତି। ଦୋଷୀକୁ ଫାଶୀଦଣ୍ଡ ଦିଆଯାଉ ବୋଲି ସେ କହୁଥିବା ଦେଖାଯାଇଛି।