ନିରଞ୍ଜନ ସାହୁ
ସ୍ବର୍ଗକୁ ନିଶୁଣି ନାହିଁ’। ଏଇ କଥାପଦକ ଆପଣ କେବେ ନା କେବେ ଶୁଣିଥିବେ। ହୁଏତ ତତ୍କ୍ଷଣାତ୍ ଧାରଣା ହୋଇଥିବ ଏହା ଯେପରି ଏକ ଅବିସମ୍ବାଦିତ ସତ୍ୟ – ଏହାର ପୁନର୍ଲେଖ ନିରର୍ଥକ ଅବା – ସ୍ବର୍ଗ ଏକ କାଳ୍ପନିକ ସ୍ଥାନ ହୋଇଥିବାରୁ ସେଠାକୁ ଏକ ଭୌତିକ ବସ୍ତୁ ସହିତ ସଂଯୁକ୍ତ କରିବା ନିହାତି ଅସମ୍ଭବ ବ୍ୟାପାର।
ଏପରି ଅନେକ ଜିନିଷ ଆଜି ଅଛି ଯାହା କେବେ ନା କେବେ ଦିନେ କେବଳ କଳ୍ପନାର ବସ୍ତୁ ଥିଲା। ଅର୍ଥାତ୍ କଳ୍ପନା କେବେ ଏକ ନିରନ୍ତର ଋତୁ ନୁହେଁ। ଯେମିତି ଜହ୍ନ ସହିତ ଜଡ଼ିତ କାହାଣୀଗୁଡ଼ିକର ଶେଷ ଅଧ୍ୟାୟ ଲେଖା ସରିଛି, ଠିକ୍ ସେଇମିତି ଠାକୁରାଣୀଙ୍କ ସହିତ ଆଗରୁ କୁହାଯାଉଥିବା କିଛି ରୋଗର ଆକ୍ରୋଶ। ତେଣୁ କ’ଣ ସ୍ବର୍ଗକୁ ନିଶୁଣି କେବେ ତିଆରି ହୋଇ ପାରିବ! ନିଶୁଣି କହିଲେ ଆମେ ଶିଡ଼ି ବୁଝିଥାଉ। ଯାହା ପୁରୁଣା କାଳରେ ବାଉଁଶ ଦ୍ୱାରା ତିଆରି ହେଉଥିଲା ଏବଂ ଦୁଇ ହାତରେ ତାକୁ ଧରି ଗୋଟିଏ ପରେ ଗୋଟିଏ ପାହାଚ ସଦୃଶ ବାଡ଼ି ଅତିକ୍ରମ କରି ଉଚ୍ଚସ୍ଥାନରେ ପହଞ୍ଚତ୍ବା ପାଇଁ ଉପଯୋଗ କରାଯାଉଥିଲା। ବହୁତଳ ବ୍ୟବସ୍ଥା ହେଲାପରେ ଆମେ ଆଜିକାଲି ଯେଉଁ ଲିଫ୍ଟ ବ୍ୟବହାର କରୁଛନ୍ତି ତାହାହିଁ ଆଧୁନିକ ଯୁଗର ବୈଦ୍ୟୁତିକ ନିଶୁଣି। ଅନୁମାନ କରିପାରନ୍ତି ଯଦି ଆପଣ କେବେ ଲିଫ୍ଟ ଦ୍ୱାରା ବୁର୍ଜ ଖଲିଫା ପରି ଶହେ ଅଡ଼ଷଠି ମହଲା କୋଠାର ଶୀର୍ଷକୁ ଯାଉଛନ୍ତି ତା’ହେଲେ ମୁହୂର୍ତ୍ତେ ଅନୁଭବ ହୋଇପାରେ ଆପଣ ସ୍ବର୍ଗକୁ ନିଶୁଣିରେ ଚଢ଼ୁଛନ୍ତି ଯେମିତି କ୍ଷିପ୍ର ଗତିରେ!
ପୌରାଣିକ ତଥ୍ୟ ଅନୁସାରେ ରାବଣ ମୃତ୍ୟୁ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଶ୍ରୀରାମଚନ୍ଦ୍ରଙ୍କୁ କହିବାକୁ ଚାହିଁଥିଲେ। ସେଥିରେ ଗୋଟିଏ ପ୍ରମୁଖ କଥା ଥିଲା ସ୍ବର୍ଗକୁ ନିଶୁଣି ବାନ୍ଧିବା ସମ୍ପର୍କରେ। ରାବଣ କୁଆଡ଼େ କହିଥିଲେ – ତାଙ୍କ ଜୀବଦ୍ଦଶାରେ ସେ ଅନୁଭବ କରିଥିଲେ ସ୍ବର୍ଗକୁ ନିଶୁଣି ତିଆରି କରିବା କାମଟି ସେ ହାତକୁ ନେବେ। ତାଙ୍କୁ ପୁଣି କେବେ ଅବବୋଧ ହୋଇଥିଲା, ତାଙ୍କର ଶକ୍ତି ସାମର୍ଥ୍ୟ ପରାକ୍ରମ ଅନୁସାରେ ଏହା ଗୋଟିଏ ମାମୁଲି କାମ। ତେଣୁ ତାକୁ ସେ ବାରମ୍ବାର ତାଙ୍କର କାର୍ଯ୍ୟକ୍ରମର ପ୍ରାଥମିକତାରୁ ହଟାଇ ଦେଉଥିଲେ। ‘ହଁ ଏଇ କାମଟିକୁ କେବେ କରିଦେବା। ଯେବେ ଚାହିଁବା ତାହା ହୋଇଯିବ’ – ଏହିପରି ଏକ ଭାବନା ତାଙ୍କ ଭିତରେ ସୃଷ୍ଟି ହେଉଥିଲା ଏବଂ ଏହାର ଫଳ ହେଲା ଏଇଆ ଯେ ସେ ଅନେକ ବର୍ଷ ବଞ୍ଚତ୍ଲେ ମଧ୍ୟ ଜୀବଦ୍ଦଶା ମଧ୍ୟରେ ସେହି କାମଟିକୁ କାର୍ଯ୍ୟକାରୀ କରିପାରି ନ ଥିଲେ।
ଆମ୍ଭେମାନେ ଅନେକ ସମୟରେ ଏହିଭଳି ଭାବନା ଦ୍ୱାରା ଆକ୍ରାନ୍ତ ହୁଅନ୍ତି। ଯେତେବେଳେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରେ ନାହିଁ ଏବଂ କେବଳ ସେହି କାମଗୁଡ଼ିକ ଆମେ କରନ୍ତି ଯାହାକୁ ଆମେ ପ୍ରାଥମିକତା ଦିଅନ୍ତି କେବଳ। କୌଣସି ଜିନିଷ ମନେ ମନେ ଚିନ୍ତା କଲେ ଆପେ ଆପେ ହୋଇଯାଏ ନାହିଁ। ପଶୁରାଜ ସିଂହ ଯଦି କେବଳ ମନେମନେ ଚିନ୍ତା କରନ୍ତା ଯେ ତା’ର ଶକ୍ତି ଅଧିକ ଆଉ ସିଏ ଯେତେବେଳେ ଚାହିଁବ ସେତେବେଳେ ତାକୁ ମୃଗପରି କୋମଳ ଆହାର ମିଳିଯିବ। ବାସ୍ତବରେ ସେପରି କିଛି ହୁଏ ନାହିଁ। ସେଥିପାଇଁ ତାକୁ କଠିନ ପରିଶ୍ରମ କରିବାକୁ ପଡ଼େ। ଏପରିକି ବୈଜ୍ଞାନିକ ଅନୁଧ୍ୟାନରୁ ଜଣାଯାଇଛି ସିଂହ ଯେତେଥର ମୃଗକୁ ଅନୁଧାବନ କରେ ସେଥିରୁ ଶତକଡ଼ା ଅଶୀ ଭାଗ ସେ ସଫଳ ହୁଏ ନାହିଁ, ଏହାର କାରଣ ସିଂହ ଖାଦ୍ୟ ପାଇଁ ଦୌଡ଼େ; ମାତ୍ର ମୃଗ ଦୌଡ଼େ ଜୀବନ ବଞ୍ଚାଇବା ପାଇଁ ତେଣୁ ସେ ସମସ୍ତ ସାମର୍ଥ୍ୟ ଖର୍ଚ୍ଚ କରେ ନିଜକୁ ମୃତ୍ୟୁର ଫାଶରୁ ମୁକୁଳେଇବା ପାଇଁ।
ରାବଣ ସେ ସମୟରେ ସବୁଠାରୁ ବଳଶାଳୀ ବୁଦ୍ଧିମାନ ରାଜା ହୋଇଥିବେ ନିଶ୍ଚୟ। ତେଣୁ ତାଙ୍କର ରାଜଧାନୀ ଥିଲା ସୁବର୍ଣ୍ଣ ନିର୍ମିତ ଯାହା ବୁଝାଇ ଦେଉଥିଲା ତାଙ୍କର ଦେଶ କେତେ ଧନଶାଳୀ। ତାଙ୍କର ତ ବ୍ୟକ୍ତିଗତ ପୁଷ୍ପକ ବିମାନ ଥିଲା ଆଜିକାଲିର ଧନାଢ଼୍ୟ ବର୍ଗଙ୍କ ପ୍ରାଇଭେଟ୍ ଜେଟ୍ ଭଳି। ତେଣୁ ସେ ବି ଛୋଟମୋଟ କଥାକୁ କ’ଣ ତାଙ୍କ ଆଖି ଆଗରେ ଲକ୍ଷ୍ୟ ରଖିଥାନ୍ତେ। ସେହି ଲକ୍ଷ୍ୟ ହୁଏତ ଏକ ବୃହତ୍ତର ଲକ୍ଷ୍ୟ ନିଶ୍ଚିତ, ତାଙ୍କର ଧାରଣା ହୋଇଥିବ ପୃଥିବୀରେ ଯେହେତୁ ମୃତ୍ୟୁର ଲୀଳାଖେଳା, ଯଦି ସ୍ବର୍ଗକୁ ପୃଥିବୀ ସହିତ ସଂଯୁକ୍ତ କରାଯାଇପାରିବ କେତେ ଚମତ୍କାର ନ ହେବ ସତରେ! ସ୍ବର୍ଗ କହିଲେ କାଳ୍ପନିକ ଭାବରେ ଏପରି ଏକ ରାଜ୍ୟ ଯେଉଁଠି ଖାଲି ସୁଖ ହିଁ ସୁଖ। ଏପରି ଏକ ସମ୍ଭାବନାର ରାଜ୍ୟକୁ କିଏ ବା ଯିବାକୁ ଚାହିଁବ ନାହିଁ? ତେଣୁ ରାବଣ ପରି ସେ ଯୁଗର ବୁଦ୍ଧିମାନ, ଶକ୍ତିମାନ ଶାସକ ସେହିଭଳି ବିଶାଳ ଲକ୍ଷ୍ୟଟିଏ ପୋଷଣ କରିବା କିଛି ନିରୁତ୍ସାହଜନକ ନୁହେଁ, ସେ ନିଜେ ମୃତ୍ୟୁର କିଛିକ୍ଷଣ ପୂର୍ବରୁ ଯେତେବେଳେ ତାଙ୍କର ଲକ୍ଷ୍ୟ ହାସଲ କରି ନ ପାରିବାର କାରଣ କହିଲେ, ତାହା ଖାଲି ତତ୍କାଳୀନ ଶ୍ରୋତାଙ୍କୁ ମୁଗ୍ଧ କରି ନ ଥିଲା, ଯୁଗକୁ ଯୁଗ ଶ୍ରୋତାମାନଙ୍କୁ ପ୍ରେରଣା ଦେଇ ଆସିଛି। ରାବଣ କହିଥିଲେ କୁଆଡ଼େ ମୋ ଭିତରେ ଟିକିଏ ଅଳସୁଆ ପଣ ରହିଯାଇଥିଲା ବୋଧହୁଏ। ଯେଉଁ କାମଟି କରିବାକୁ ମୋର ଆଗ୍ରହର ଅଭାବ ଲକ୍ଷ୍ୟ କରିଥିଲି। ଏଇ ଅଳସୁଆପଣ ଜୀବନର ସବୁଠାରୁ ବଡ଼ ଅନ୍ତରାୟ ଆମେ ଆମର ଲକ୍ଷ୍ୟସ୍ଥଳରେ ନ ପହଞ୍ଚତ୍ ପାରିବାର।
ହେଳାଦ୍ୱାରା କାର୍ଯ୍ୟ ସିଦ୍ଧି ବ୍ୟାହତ ହୁଏ, ନିର୍ଦ୍ଧନ ହେଲେ ବୁଦ୍ଧିର ଅପଚୟ ଘଟେ, ମାଗିବା ଦ୍ୱାରା ଆତ୍ମସମ୍ମାନ ବିପନ୍ନ ହୁଏ ଏବଂ କୁଭୋଜନ ଦ୍ୱାରା କୁଳ ନାଶ ହୁଏ। ଏମନ୍ତ କଥା କହିଥିଲେ ଚାଣକ୍ୟ ପଣ୍ଡିତେ। ଆମ୍ଭେମାନେ ଆଜିବି ଏଇକଥା ଦେଖୁନାହାନ୍ତି କି? ଆପଣ ସକାଳେ ଉଠି ଦେଖିବେ ଟୁଥ୍ପେଷ୍ଟ ସରିଯାଇଛି। ବହୁତ ଚିପାଚିପି କରି ସେଇଠୁ ଟିକିଏ ନେଇ ଦାନ୍ତଘଷା କାମ ସାରିଦେବେ। ଆଜି ଅଫିସ୍ରୁ ଫେରିଲା ବେଳେ ଏଇଟା ନେଇଆସିବି ବୋଲି ଭାବିଥିବେ; ମାତ୍ର ଅଫିସ୍ରୁ ଫେରିବା ବେଳେ ସେଇଟିକୁ ବିଶୁଦ୍ଧ ଭାବେ ଭୁଲିଯାଇଥିବେ ଆଉ ଆରଦିନ ସକାଳକୁ ଦେଖିବେ ଯେ ଗତକାଲି ଯେଉଁ ଛୋଟିଆ କାମଟିଏ କରିବେ ବୋଲି ଭାବିଥିଲେ ତାହା ଭୁଲିଯାଇଥିବାରୁ ଆଜିର ଦାନ୍ତଘଷା ପାଇଁ କେଡ଼େ ହୀନସ୍ତା ହେଉଛନ୍ତି। ଶେଷକୁ ପେଷ୍ଟକୁ କାଟି ସେଇଠୁ ଟିକିଏ ମନ ବୁଝିଲା ଭଳି ବାହାର କରି କାମ ଶେଷ କରିବେ, ଏଇ ଘଟଣାଟିର ମୂଳକଥା ସେଇ ଅବହେଳା ନୁହେଁ କି।
ବହୁକଥା କରିବା ପାଇଁ ଆମେ ସ୍ବପ୍ନ ଦେଖନ୍ତି; ମାତ୍ର ଅବହେଳାକ୍ରମେ ସେଥିରେ ନିଜକୁ ଦୃଢ଼ ଭାବରେ ପ୍ରେରିତ କରି ନ ପାରିବାରୁ ସେଇ କାମଟି ହାସଲ କରିପାରନ୍ତି ନାହିଁ। ଏ ସମ୍ପର୍କରେ ଆମର ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ୍ କଲାମ ଗୋଟିଏ କଥା କହିଥିଲେ ଯାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ସେ କହିଥିଲେ – ସେଇଟି ସ୍ବପ୍ନ ନୁହେଁ ଯାହା ଆମେ ଶୋଇଥିବା ବେଳେ ରାତିରେ ଦେଖୁଁ ବରଂ ସ୍ବପ୍ନ ହେଉଛି ସେଇଟା ଯାହାକି ଆମକୁ ଏପରି ଆନ୍ଦୋଳିତ କରେ ଯେ ରାତିରେ ଶୁଏଇ ଦିଏନି, ସେଇ କାମ ହାସଲ ନ ହେବା ପର୍ଯ୍ୟନ୍ତ।
ଅନେକ ଦିନ ପୂର୍ବରୁ ଯାହା ଅସମ୍ଭବ ଲାଗୁଥିଲା ତାହା ଆଜି ଆମ ହାତପାହାନ୍ତାରେ। ଏହା ପଛରେ କେବଳ ଗୋଟାଏ ସ୍ବପ୍ନ ବା ଭାବନା ନ ଥିଲା ସେଥିରେ ତାକୁ ହାସଲ କରିବାର ପ୍ରବଳ ଚେଷ୍ଟା ଓ ଯୋଜନାବଦ୍ଧ କାର୍ଯ୍ୟକ୍ରମ। ହୁଏତ ସେଦିନ ଆଉ ଡେରି ନାହିଁ ଯେତେବେଳେ ସ୍ବର୍ଗକୁ ନିଶୁଣି ଗଢ଼ାହେବ। ଆଜି ଯେତେବେଳେ ବୈଜ୍ଞାନିକମାନେ ମୃତ୍ୟୁକୁ ଜୟ କରିବା ପାଇଁ ବିଜ୍ଞାନାଗାରରେ ପ୍ରଚେଷ୍ଟା ଜାରି ରଖୁଛନ୍ତି ତାହା କ’ଣ ସ୍ବର୍ଗକୁ ନିଶୁଣି ଗଢ଼ିବା ନୁହେଁ କି?
ଏତେ କଥା ଆଲୋଚନା କଲା ପରେ ମୋର ହେତୁ ହେଉଛି ଯେ ‘ସ୍ବର୍ଗକୁ ନିଶୁଣି ନାହିଁ’ ପରେ ‘ବଡ଼ ଲୋକକୁ ଉତ୍ତର ନାହିଁ’ ଲେଖିଦେଲେ କଥାଟା ସମ୍ପୂର୍ଣ୍ଣ ହୁଏ; ମାତ୍ର କଥାର ପୃଷ୍ଠଭୂମି ବଦଳିଯାଏ ସମ୍ପୂର୍ଣ୍ଣ। ଅବଶ୍ୟ ସେ ବିଷୟରେ ଆଲୋଚନା ବାରାନ୍ତରେ, ଅନ୍ୟତ୍ର।
ମୋ:୯୪୩୮୪୮୨୯୧୧