Categories: ଜାତୀୟ

ପୋଲିସ ଅବା ସୈନ୍ୟବାହିନୀରେ ଯୋଗଦେବା ସମୟରେ କରନ୍ତୁ ନାହିଁ ଏସବୁ ଭୁଲ, ସୁପ୍ରିମ୍‌କୋର୍ଟଙ୍କ ଚେତାବନୀ…

ନୂଆଦିଲ୍ଲୀ,୨୫।୧୦ : ପୋଲିସ କିମ୍ବା ସେନାରେ ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଥିବା ଦେଶର ଯୁବବର୍ଗମାନଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଖବର। ନିଯୁକ୍ତି ପାଇଁ ଆବେଦନ କରିବାବେଳେ, କେତେକ ଭୁଲ ଯୋଗୁ ସେମାନଙ୍କୁ ସାରା ଜୀବନ ପାଇଁ ଅନୁତାପ କରିବାକୁ ପଡିପାରେ। ଏକ ନିଯୁକ୍ତି ନିୟମ ସମ୍ବନ୍ଧରେ ସୁପ୍ରିମକୋର୍ଟ ଏକଐତିହାସିକ ରାୟ ଦେଇଛନ୍ତି। ଯାହା ଅନୁଯାୟୀ ନିଯୁକ୍ତି ପାଇଁ ଆବେଦନ କରିବା ସମୟରେ ଅତୀତ ଏବଂ ଚରିତ୍ର ସହ ଜଡିତ ତଥ୍ୟ ଲୁଚାଇବା ମହଙ୍ଗା ପଡିପାରେ। ଯଦି ଅନୁସନ୍ଧାନରୁ ଜଣାପଡିବ ସୂଚନା ଲୁଚା ଯାଇଛି, ତେବେ ଆବେଦନକାରୀଙ୍କୁ ଏହାର ପରିଣାମ ଭୋଗିବାକୁ ପଡିବ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ଯଦି କେହି ପୋଲିସ କିମ୍ବା ସେନାରେ ନିଯୁକ୍ତି ପାଇଁ ଆବେଦନ କରନ୍ତି ଏବଂ ସେ କୌଣସି ଅପରାଧିକ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ମଧ୍ୟ ଆବେଦନରେ ଏହା ଉଲ୍ଲେଖ ନ କରନ୍ତି, ତେବେ ଏହା ଅଯୋଗ୍ୟତା ପାଇଁ ଏକ ବଡ଼ କାରଣ ହେବ। ଜଷ୍ଟିସ ଅଭୟ ଏସ ଓକା ଏବଂ ଜଷ୍ଟିସ ପଙ୍କଜ ମିତ୍ତଲଙ୍କ ଏକ ବେଞ୍ଚ ତାମିଲନାଡୁ ପୋଲିସର ଆବେଦନ ଶୁଣି ରାଜ୍ୟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି। ଜଣେ ଆବେଦନକାରୀଙ୍କ ନିଯୁକ୍ତିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ କହିଛନ୍ତି ପୋଲିସ, ସେନା କିମ୍ବା ସୁରକ୍ଷା ବାହିନୀରେ ଯୋଗ ଦେଉଥିବା ଯୁବବର୍ଗମାନେ ଅପରାଧିକ ପୃଷ୍ଠଭୂମିରୁ ହେବା ଉଚିତ ନୁହେଁ। ଏହା ସମ୍ବନ୍ଧୀୟ ସୂଚନା ଆବେଦନ ଫର୍ମରେ ପଚରାଯାଇଥାଏ । ଏଭଳି ସୂଚନା ଲୁଚାଇବା ଦୋଷାବହ।

ଆବେଦନକାରୀ ଏହି ମାମଲା ବିଷୟରେ ସୂଚନା ଲୁଚାଇ ରଖିଥିଲେ। ସୁପ୍ରିମକୋର୍ଟଙ୍କ ଅନୁଯାୟୀ, ଯଦି ଜଣେ ଆବେଦନକାରୀ ତାଙ୍କ ଅପରାଧିକ ରେକର୍ଡ ସହ ଜଡିତ ସୂଚନା ପ୍ରଦାନ ନକରନ୍ତି, ତେବେ ଏହି ତଥ୍ୟ ଜାଣିଶୁଣି ଲୁଚି ରହିଛି ବୋଲି ବିବେଚନା କରାଯିବ। ଏହି ଆଧାରରେ ଆବେଦନକାରୀ ଚାକିରି ପାଇଁ ଅଯୋଗ୍ୟ ବିବେଚିତ ହେବେ। ସୁପ୍ରିମକୋର୍ଟ କହିଛନ୍ତି ଜେ ରଘୁନିସ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଆକ୍ରମଣ ମାମଲା ରୁଜୁ ହୋଇଥିଲା, କିନ୍ତୁ ସେ ପୋଲିସରେ ନିଯୁକ୍ତି ପାଇଁ ଆବେଦନ କରିବାବେଳେ ଏହି ତଥ୍ୟ ଲୁଚାଇ ରଖିଥିଲେ। କେତେକ ମାମଲାରେ ଯେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା ସେତେବେଳେ ପୋଲିସ ବିଭାଗ ତାଙ୍କୁ ତାଙ୍କ ପଦରୁ ହଟାଇ ଦେଇଥିଲା। ସେ ନ୍ୟାୟ ପାଇବା ପାଇଁ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ। ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ତେବେ ଶୀର୍ଷକୋର୍ଟଙ୍କ ରାୟ ପୋଲିସ ବିଭାଗ ସପକ୍ଷରେ ଦିଆଯାଇଥିଲା।

Share