ଜମି ଲାଗି ହଜାରେ ବର୍ଷର ସମ୍ପର୍କ ଖରାପ କରନି

ଭୁବନେଶ୍ୱର,୨୧।୨(ବ୍ୟୁରୋ): କୋଟିଆ ପ୍ରସଙ୍ଗକୁ ନେଇ ବିବାଦ ଥମିବାର ନଁା ଧରୁ ନ ଥିବାବେଳେ ଏହାକୁ ନେଇ ବର୍ତ୍ତମାନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଶନିବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କୁ ଚିଠି ଲେଖିଛନ୍ତି। ପ୍ରଦୀପ୍ତ ଚିଠିରେ ଦର୍ଶାଇଛନ୍ତି ଯେ, ରାୟଗଡ଼ା ଜିଲାର କେତେକ ଗ୍ରାମରେ ବିଜୟନଗରମ ଜିଲା ପ୍ରଶାସନ ନିର୍ବାଚନ ପରିଚାଳନା କରୁଥିବାବେଳେ ଗଞ୍ଜାମ ଓ ଗଜପତି ଜିଲାର କେତେକ ଗ୍ରାମରେ ଶ୍ରୀକାକୁଲମ ଜିଲା ପ୍ରଶାସନ, ମାଲକାନଗିରିର କେତେକ ଗ୍ରାମରେ ବିଶାଖାପାଟଣା ଜିଲା ପ୍ରଶାସନ ଏବଂ କୋରାପୁଟ ଜିଲାର କୋଟିଆ ଅଞ୍ଚଳରେ ବିଜୟନଗରମ ଜିଲା ପ୍ରଶାସନ ବେଆଇନ ଭାବେ ପଞ୍ଚାୟତ ନିର୍ବାଚନ କରୁଛି। ଏହା କେବଳ ସମ୍ବିଧାନ ବିରୋଧୀ ନୁହେଁ, ବରଂ ଭାରତୀୟ ସଂଘୀୟ ବ୍ୟବସ୍ଥାର ମଧ୍ୟ ଅବମାନନା। ୧୯୬୮ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶର ମଧ୍ୟ ଉଲ୍ଲଂଘନ। ତେଣୁ ତୁରନ୍ତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ରେଡ୍ଡୀ ଏହାକୁ ଅନୁଧ୍ୟାନ କରିବା ସହିତ ତାଙ୍କ ପ୍ରଶାସନକୁ ଏପରି କରିବାରୁ ରୋକନ୍ତୁ। ଜମି ଲାଗି ଦୁଇ ରାଜ୍ୟ ମଧ୍ୟରେ ଥିବା ହଜାରେ ବର୍ଷର ସମ୍ପର୍କ ଖରାପ ନ କରିବାକୁ ପ୍ରଦୀପ୍ତ ଅନୁରୋଧ କରିଛନ୍ତି।

ପ୍ରଦୀପ୍ତ ଚିଠିରେ ଆହୁରି ଲେଖିଛନ୍ତି, ସର୍ବାଧିକ ଚର୍ଚ୍ଚା ହେଉଛି କୋଟିଆ ବିବାଦ। ଆନ୍ଧ୍ରପ୍ରଦେଶ କୋଟିଆକୁ ନିଜ ଅଞ୍ଚଳ ବୋଲି ଦାବି କରୁଛି, ଯାହା ମୂଲ୍ୟହୀନ। ୧୯୩୬ରୁ କୋଟିଆ ଗ୍ରାମପଞ୍ଚାୟତ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ। ଏହା ଓଡ଼ିଶା ଇତିହାସରେ ରହିଆସିଛି। ୧୯୪୨ରେ ଓଡ଼ିଶା, ବିହାର ଓ ମଧ୍ୟପ୍ରଦେଶ ସରକାରଙ୍କ ମିଳିତ ସର୍ଭେରେ ମଧ୍ୟ ପ୍ରମାଣିତ ରହିଛି। ସେହି ସମୟରେ ସର୍ଭେ କରାଯାଇ କୋଟିଆ ଗ୍ରାମପଞ୍ଚାୟତର ୭ଟି ଗାଁ ଓଡ଼ିଶାର ବୋଲି ନିର୍ଦ୍ଧାରଣ କରାଯାଇଥିଲା। ହେଲେ ଏବେ ଆନ୍ଧ୍ର ପ୍ରଶାସନ ଏଠାରେ ବେଆଇନ ଭାବେ ନିର୍ବାଚନ କରୁଛି। ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ଭଲ ସାଂସ୍କୃତିକ ସମ୍ପର୍କ ରହିଛି। ଏହି ସମ୍ପର୍କକୁ ଆମେ ଏକାଠି ଆଗକୁ ନେବାର ଆବଶ୍ୟକତା ରହିଛି। ଜମିକୁ ନେଇ ଦୁଇ ରାଜ୍ୟର ସମ୍ପର୍କ ଖରାପ କରିବା ଠିକ୍‌ ହେବନାହିଁ। ତେଣୁ ଉକ୍ତ ୩ ଜିଲାର ପ୍ରଶାସନିକ ଅଧିକାରୀଙ୍କୁ ସୁପ୍ରିମକୋର୍ଟଙ୍କ ନିୟମକୁ ସମ୍ମାନ ଦେଇ କାମ କରିବାକୁ ରେଡ୍ଡୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ପ୍ରଦୀପ୍ତ କହିଛନ୍ତି।

Share