ନିଆଁ ସହ ଖେଳ ନାହିଁ

ଓ୍ବାଶିଂଟନ/ବେଜିଂ,୩୦।୭: ତାଇଓ୍ବାନ ପ୍ରସଙ୍ଗରେ ପୁଣି ମୁହାଁମୁହିଁ ଅବସ୍ଥାରେ ଆମେରିକା ଓ ଚାଇନା। ଏହି ଦ୍ୱୀପ ରାଷ୍ଟ୍ରକୁ ନେଇ ମୁଣ୍ଡ ନ ଖେଳାଇବାକୁ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଚେତାବନୀ ଦେଇଛନ୍ତି। ଜିନ୍‌ପିଙ୍ଗ୍‌ ତାଇଓ୍ବାନକୁ ବଳପୂର୍ବକ ନିଜ ଅଧୀନକୁ ଆଣିବା ପାଇଁ ଶପଥ ନେଇଥିବାବେଳେ ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ଗସ୍ତକୁ ନେଇ ଦୁଇ ମହାଶକ୍ତି ମୁହଁ।ମୁହିଁ ହୋଇଛନ୍ତି।
ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗ୍‌ ଶୁକ୍ରବାର ଭିଡିଓ କନ୍‌ଫରେନ୍ସ ଜରିଆରେ ଆଲୋଚନା ହୋଇଛି। ଦୁଇ ନେତାଙ୍କ ମଧ୍ୟରେ ପଞ୍ଚମ ଆଲୋଚନା ବେଳେ ବାଇଡେନ୍‌ଙ୍କୁ ଜିନ୍‌ପିଙ୍ଗ୍‌ କହିଥିଲେ, ଯିଏ ନିଆଁ ସହ ଖେଳିବେ ସିଏ ଜଳିଯିବେ। ଆମେରିକା ଏହି କଥାକୁ ଭଲ ଭାବେ ବୁଝିପାରୁଥିବ। ଓ୍ବାଶିଂଟନ ‘ଓ୍ବାନ୍‌-ଚାଇନା ପ୍ରିନ୍ସିପଲ୍‌’କୁ ମାନିବା ଉଚିତ। ତାଇଓ୍ବାନର ସ୍ବାଧୀନତା ଓ ବାହ୍ୟ ହସ୍ତକ୍ଷେପକୁ ଚାଇନା ଦୃଢ଼ ବିରୋଧ କରେ। ଏହାର ଜବାବରେ ବାଇଡେନ୍‌ କହିଥିଲେ, ତାଇଓ୍ବାନ ଉପରେ ଆମେରିକାର ନୀତି ଅପରିବର୍ତ୍ତିତ ରହିଛି। ସମଗ୍ର ତାଇଓ୍ବାନ ପ୍ରଣାଳୀରେ ଶାନ୍ତି ଓ ସ୍ଥିରତାକୁ ନୂ୍ୟନ କରିବା କିମ୍ବା ସ୍ଥିତାବସ୍ଥା ବଦଳାଇବା ପାଇଁ ଏକତରଫା ଉଦ୍ୟମକୁ ଓ୍ବାଶିଂଟନ ବିରୋଧ କରେ। ଦୁଇ ନେତାଙ୍କ ଆଲୋଚନା ପରେ ସମର୍ଥନ ପାଇଁ ବାଇଡେନ୍‌ଙ୍କୁ ତାଇଓ୍ବାନ ଧନ୍ୟବାଦ ଦେଇଛି। ଆମେରିକା ସହ ସୁରକ୍ଷା ସହଯୋଗିତା ଆହୁରି ଦୃଢ଼ କରିବ ବୋଲି ତାଇଓ୍ବାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ବାଇଡେନ୍‌ ଓ ଜିନ୍‌ପିଙ୍ଗ୍‌ ଖୁବ୍‌ଶୀଘ୍ର ପ୍ରଥମ ଥର ପାଇଁ ସାମ୍ନାସାମ୍ନି ଆଲୋଚନା କରିପାରନ୍ତି। ଏହାର ପ୍ରସ୍ତୁତି ଅନୁଧ୍ୟାନ କରିବାକୁ ଦୁହେଁ ନିଜ ନିଜ ଟିମ୍‌କୁ ନିର୍ଦ୍ଦେଶ ଦେଇଥିବା ଆମେରିକାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Share