ଭୁଲ୍‌ରେ ବି ଏହି ଦିନ ପାଦରୁ କାଢ଼ନ୍ତୁନି ପୁରୁଣା ଝୁଣ୍ଟିଆ

ଭାରତୀୟ ସଂସ୍କୃତିରେ ବିବାହିତା ମହିଳା ପାଦ ଆଙ୍ଗୁଠିରେ ରୁପାର ଝୁଣ୍ଟିଆ ପିନ୍ଧିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। କାରଣ ରୁପାର ସମ୍ପର୍କ କୁଆଡ଼େ ଚନ୍ଦ୍ର ଊର୍ଜା ସହ ରହିଛି; ଯାହାର ପ୍ରଭାବରେ ବିବାହିତା ନାରୀଙ୍କ ଭିତରେ ଭାବନାତ୍ମକ ସ୍ଥିରତା ଆସିବା ସହ ସେମାନଙ୍କୁ ମାନସିକ ଶାନ୍ତି ମିଳିଥାଏ। ତା’ସହିତ ଝୁଣ୍ଟିଆ ପରିଧାନ ସେମାନଙ୍କୁ ସୌଭାଗ୍ୟବତୀର ଆଶୀର୍ବାଦ ପ୍ରଦାନ କରିଥାଏ ବୋଲି ବିଶ୍ୱାସ କରାଯାଏ। ସେଥିପାଇଁ ସଧବା ନାରୀମାନେ ସବୁବେଳେ ପାଦରେ ଝୁଣ୍ଟିଆ ପିନ୍ଧିଥାନ୍ତି। ତେବେ ଜାଣନ୍ତି କି ଝୁଣ୍ଟିଆ ଅତି ପୁରୁଣା ହୋଇଗଲେ କିମ୍ବା ଏହାର କିଛି ଅଂଶ ଭାଙ୍ଗିଗଲେ ଏହାକୁ ଆଉ ପାଦରେ ପିନ୍ଧିବା ଆଦୌ ଶୁଭଙ୍କର ନୁହେଁ। କାରଣ ଏହା ମହିଳାଙ୍କ ବୈବାହିକ ଜୀବନରେ ଅନେକ ନକାରାତ୍ମକ ପ୍ରଭାବ ପକାଇଥାଏ। ସେହିପରି ପୁରୁଣା ଝୁଣ୍ଟିଆକୁ ଯେତେବେଳେ ନାହିଁ ସେତେବେଳେ ବଦଳାଇ ନୂଆ ଝୁଣ୍ଟିଆ ପିନ୍ଧିବା ବି ଠିକ୍‌ ନୁହେଁ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଶୁଭଦିନ ବା ଶୁଭତିଥି ଯେମିତିକି ପୂର୍ଣ୍ଣିମା, ଅକ୍ଷୟ ତୃତୀୟା, ନବରାତ୍ରି ଆଦି ସମୟରେ ପୁରୁଣା ଝୁଣ୍ଟିଆ ବଦଳାଇ ନୂଆ ଝୁଣ୍ଟିଆ ପିନ୍ଧିବା ଶୁଭ। ସେହିପରି ଶୁକ୍ରବାର ହେଉ କି ରବିବାର ମଧ୍ୟ ନୂଆ ଝୁଣ୍ଟିଆ ପିନ୍ଧିପାରିବେ କିନ୍ତୁ ଭୁଲ୍‌ରେ ବି ମଙ୍ଗଳବାର ପାଦରୁ ପୁରୁଣା ଝୁଣ୍ଟିଆ କାଢ଼ିବେ ନାହିଁ କି ନୂଆ ପିନ୍ଧିବେ ନାହିଁ। ତା’ସହିତ ଧ୍ୟାନ ଦେବେ ସବୁବେଳେ ଗାଧୋଇସାରି ସକାଳ ସମୟରେ ହିଁ ନୂଆ ଝୁଣ୍ଟିଆ ପିନ୍ଧିବେ; ରାତିରେ ପିନ୍ଧିବା ଠିକ୍‌ ନୁହେଁ।