Categories: ଜାତୀୟ

ଗୃହରେ ଖୁସି ନାହାନ୍ତି ବାଚସ୍ପତି

ନୂୂଆଦିଲ୍ଲୀ,୧୪।୧୨: ଲୋକ ସଭା ବାଚସ୍ପତି ଓମ ବିର୍ଲା ମଙ୍ଗଳବାର ଗୃହର ସଦସ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା କରୁଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବାଚସ୍ପତି ଏ ବିଷୟରେ କହିଛନ୍ତି ଯେ, ମନ୍ତ୍ରୀମାନେ ଲୋକ ସଭାରୁ ସେମାନଙ୍କ କାର୍ଯ୍ୟାଳୟ ଚଳାଇବା ଉଚିତ୍‌ ନୁହେଁ। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଜଣେ ସଦସ୍ୟଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ଏହି ସଦସ୍ୟ ଜଣଙ୍କ ପ୍ରଶ୍ନକାଳ ଶେଷ ହେବା ପରେ କୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ସିଂଙ୍କ ଆସନ ନିକଟକୁ ଆସିଥିଲେ।
ଏହା ଦେଖି ବାଚସ୍ପତି ଦୁହିଁଙ୍କ ବାର୍ତ୍ତାଳାପରେ ହସ୍ତକ୍ଷେପ କରି କହିଥିଲେ, ମାନ୍ୟବର ସଦସ୍ୟ, ମନ୍ତ୍ରୀମାନେ ଏଠାରୁ ନିଜ କାର୍ଯ୍ୟାଳୟ ଚଳାଇବା ଉଚିତ୍‌ ନୁହେଁ। ସେ ସଦସ୍ୟମାନଙ୍କୁ ଗୃହର ସମ୍ମାନ ରକ୍ଷା କରିବାକୁ ଅନୁରୋଧ କରିଥିଲେ। ଏହା ବ୍ୟତୀତ ବାଚସ୍ପତି ପ୍ରଶ୍ନ କାଳ ଶେଷ ଘୋଷଣା ପରେ ମଧ୍ୟ ଏକ ପ୍ରଶ୍ନର ଉତ୍ତର ଜାରି ରଖିଥିବାରୁ କେନ୍ଦ୍ର ମନ୍ତ୍ରୀ କୈଳାଶ ଚୌଧୁରୀଙ୍କୁ ମଧ୍ୟ ତାଗିଦ କରିଛନ୍ତି।

Share