Categories: ଫୁରସତ

୨୧ ବର୍ଷରୁ କମ୍‌ ବୟସ୍କଙ୍କୁ ହ୍ବିିପ୍ଡ କ୍ରିମ୍‌ ଡବା ବିକ୍ରି ମନା

ଲଣ୍ଡନ: ବ୍ରିଟେନ୍‌ ଓ ଆମେରିକାରେ ହ୍ବିପ୍ଡ କ୍ରିମ୍‌ (ମିଠା ଜାତୀୟ ଖାଦ୍ୟ, ଯାହାକୁ ବିଶେଷ ଭାବେ କେକ୍‌ ଖାଇବା ସମୟରେ ବ୍ୟବହାର କରାଯାଏ) ଡବା ବିକ୍ରି ନେଇ ନୂଆ ଆଇନ ଲାଗୁ କରାଯାଇଛି। ୨୧ ବର୍ଷରୁ କମ୍‌ ବୟସ ବର୍ଗଙ୍କୁ କୌଣସି ଦୋକାନୀ ଏହି ପଦାର୍ଥ ବିକ୍ରି କରିପାରିବେ ନାହିଁ। ଏହି ସ୍ବତନ୍ତ୍ର ନିୟମ ଗତବର୍ଷ ନଭେମ୍ବର ମାସରେ ଲାଗୁ କରାଯିବାକୁ ଥିଲା। କିଶୋରମାନେ ହ୍ବିପ୍ଡ କ୍ରିମ୍‌ର ଡବାକୁ ବ୍ୟବହାର କରି ଲାଫିଙ୍ଗ ଗ୍ୟାସ୍‌ (ନାଇଟ୍ରସ ଅକ୍ସାଇଡ୍‌) ଇନ୍‌ହେଲ୍‌ କରୁଥିବାବେଳେ ଏଥିରୁ ସେମାନଙ୍କୁ ନିବୃତ୍ତ କରିବା ପାଇଁ ନୂଆ ନିୟମ ଲାଗୁ କରାଯାଇଥିବା ଖବର ପ୍ରକାଶ ପାଇଛି। କିଛି ବିଶେଷ ମହତ୍ତ୍ୱ ପାଇଁ ଏହି ଗ୍ୟାସ୍‌କୁ ବ୍ୟବହାର କରାଯାଇଥାଏ। କିନ୍ତୁ ବିଦେଶରେ କିଶୋରୀ, କିଶୋରମାନେ ନିୟମିତ ଏହାକୁ ବ୍ୟବହାର କରିବା ଦ୍ୱାରା ଏହା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ଥିବା ଆମେରିକା ସିନେଟର ଜୋଶେଫ ଆଡ୍ଡାବୋ କହିଛନ୍ତି। କୌଣସି ଦୋକାନୀ ୨୧ ବର୍ଷ ବୟସରୁ କମ୍‌ ବ୍ୟକ୍ତି ବିଶେଷଙ୍କୁ ହ୍ବିପ୍ଡ କ୍ରିମ୍‌ ବିକ୍ରି କରନ୍ତି ତେବେ, ତାଙ୍କୁ ୨୦ ହଜାର ଜରିମାନା ଦେବାକୁ ପଡ଼ିବ। ଏହି ଆଇନ୍‌ ଉଲ୍ଲଂଘନ କଲେ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ ଆଦାୟ କରାଯିବ। ନାଇଟ୍ରସ୍‌ ଅକ୍ସାଇଡ୍‌ କିଛି ସମୟ ପାଇଁ ଶରୀରକୁ ଆରାମ ଦେଇଥାଏ। କିନ୍ତୁ ଏହା ଶରୀର ପ୍ରତି କ୍ଷତିକାରକ ଅଟେ। ବହୁଳ ବ୍ୟବହାର ଦ୍ୱାରା ରକ୍ତ ଚାପ କମିବା, ହୃଦ୍‌ଘାତ, ସ୍ମରଣଶକ୍ତି ହ୍ରାସ ଘଟିବା ଭଳି ସମସ୍ୟା ଦେଖାଯାଏ।

Share