ଅପପ୍ରଚାର କରନାହିଁ: କରୀନା

ମୁମ୍ବାଇ: ଆମିର ଖାନ୍‌ ଓ କରୀନା କପୁର ଖାନ୍‌ ଅଭିନୀତ ‘ଲାଲ୍‌ ସିଂ ଚଢ଼ା’କୁ ନେଇ ବିବାଦ ଥମୁ ନ ଥିବାବେଳେ ଫିଲ୍ମଟି ପ୍ରେକ୍ଷାଳୟକୁ ଓହ୍ଲାଇଛି। ଲାଲ ସିଂ ଚଢ଼ା ପାଇଁ ସିନେପ୍ରେମୀଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଟୁଇଟରରେ ଟ୍ରେଣ୍ଡ ପାଲଟିଥିବା ବୟକଟ୍‌ ଲାଲ୍‌ ସିଂ ଚଢ଼ାକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଅଭିନେତ୍ରୀ କରୀନା । ଫିଲ୍ମକୁ ବୟକଟ୍‌ ନ କରିବା ପାଇଁ ସେ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଫିଲ୍ମ ବାବଦରେ ଅପପ୍ରଚାର କରାନ ଯାଉ। ଲାଲ୍‌ ସିଂ ଚଢ଼ା ଖୁବ୍‌ ସୁନ୍ଦର ଫିଲ୍ମ। ଏହାକୁ ତିଆରି କରିବା ପାଇଁ ପାଖାପାଖି ୩ ବର୍ଷ ଲାଗିଛି। ୨୫୦ରୁ ଅଧିକ ଲୋକ ଏହା ସହ ଜଡ଼ିତ। ତେଣୁ ଏହାକୁ ବଏକଟ୍‌ ନ କରି ହଲ୍‌ରେ ଫିଲ୍ମକୁ ଦେଖିବାକୁ କରୀନା ଅନୁରୋଧ କରିଛନ୍ତି। କେତେଜଣ ଲୋକ ଫିଲ୍ମ ଓ କଳାକାରଙ୍କ ବିରୋଧରେ ଅପପ୍ରଚାର କରୁଥିବା ସେ କହିଛନ୍ତି। ବିଶେଷକରି ସୋସିଆଲ ମିଡିଆ ଜରିଆରେ ଫିଲ୍ମ ସମ୍ପର୍କରେ ବହୁ ମିଛ ତଥ୍ୟ ପ୍ରଘଟ ହେଉଥିବାବେଳେ ଏହା ରୋକାଯିବା ନିହାତି ଜରୁରୀ ବୋଲି କରୀନା କହିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ଫିଲ୍ମକୁ ନେଇ ପ୍ରତିବାଦ ଜାରି ରହିଛି। ପ୍ରଥମ ଦିନରେ ଏହା ୧୦ରୁ ୧୧ କୋଟିର ବ୍ୟବସାୟ କରିଥିବା ଖବର ପ୍ରକାଶ ପାଇଛି। ଗତ ଗୁରୁବାର ଲାଲ୍‌ ସିଂ ଚଢ଼ା ସାଙ୍ଗକୁ ଅକ୍ଷୟ କୁମାର ଅଭିନୀତ ରକ୍ଷା ବନ୍ଧନ ରିଲିଜ୍‌ ହୋଇଥିଲା। ବିବାଦ ଭିତରେ ମଧ୍ୟ ‘ଲାଲ୍‌ ସିଂ ଚଢ଼ା’ ଆଗରେ ରହିଛି।

Share