ସହାୟତା ଆଳରେ ପ୍ରଚାର ନ ହେଉ

ପୁରୀ ଅଫିସ,୨୪।୮: ପୁରୀ ଜିଲାର ଅଧିକାଂଶ ଅଞ୍ଚଳରେ ବନ୍ୟାର ବିଭୀଷିକା ଦେଖାଯାଇଥିବା ବେଳେ ଏବେ ବି ହଜାର ହଜାର ଲୋକ ବନ୍ୟାଜଳ ଘେରରେ ରହିବା ସହ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସମୟରେ ପ୍ରଶାସନ ପକ୍ଷରୁ ସହାୟତା ଦିଆଯାଉଥିବାବେଳେ ତାହା ମଧ୍ୟ ଠିକ୍‌ ସମୟରେ ସବୁ ସ୍ଥାନରେ ପହଞ୍ଚିପାରୁ ନ ଥିବା ଅଭିଯୋଗ ହେଉଛି। ଏଣୁ ଜଳବନ୍ଦୀରେ ଥିବା ବିପନ୍ନଙ୍କୁ ରାଜନୈତିକ ଦଳ ଓ ସାମାଜିକ ଅନୁଷ୍ଠାନମାନେ ସହାୟତାର ହାତ ବଢ଼ାଉଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ପଲିଥିନ ଇତ୍ୟାଦି ବାଣ୍ଟୁଛନ୍ତି। ହେଲେ ସହାୟତା ଦେବା ଆଳରେ ଦଳ ତଥା ଅନୁଷ୍ଠାନଗୁଡ଼ିକ ନିଜର ପ୍ରଚାର କରିବାରେ ଲାଗିଛନ୍ତି। ସାମଗ୍ରୀ ବଣ୍ଟନ ସମୟରେ ଫଟୋ ଉଠାଇବା ସହ ସୋସିଆଲ ମିଡିଆରେ ଫଟୋ ଶେୟାର କରୁଛନ୍ତି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ନେତା ଓ ଦଳୀୟ କର୍ମୀଙ୍କୁ ଧରି ଗାଁ ଗାଁ ବୁଲୁଛନ୍ତି ଓ ଲୋକଙ୍କୁ ସହାୟତା କରୁଛନ୍ତି। କିନ୍ତୁ ଏହି ସହାୟତା ଧୀରେ ଧୀରେ ପ୍ରତିଯୋଗିତାରେ ପରିଣତ ହୋଇଛି। ଜଣଙ୍କୁ ଦେଖି ଆଉ ଜଣେ ସହାୟତା କରିବାକୁ ଆଗଭର ହେଉଛନ୍ତି। ବିଭିନ୍ନ ସାମାଜିକ ଅନୁଷ୍ଠାନ ତଥା ସଂଗଠନଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚତ୍ ସମସ୍ୟା ସମ୍ପର୍କରେ ଅବଗତ ହେଉଛନ୍ତି ଓ ତାହାର ସମାଧାନ ଦିଗରେ ଚେଷ୍ଟା କରୁଛନ୍ତି। ବ୍ଲକସ୍ତରରେ ଏଭଳି ସାମାଜିକ କର୍ମୀମାନଙ୍କୁ ସରକାରୀ ଅଧିକାରୀମାନେ ଡଙ୍ଗା ଯୋଗାଇ ଦେଉଛନ୍ତି। ଫଳରେ ବ୍ୟାପକ ଭାବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ମଧ୍ୟ ସହାୟତା ପହଞ୍ଚତ୍ପାରୁଛି। ହେଲେ ଏବେ କିଛି କିଛି ସ୍ଥାନରେ ରାଜନୈତିକ ଦଳମାନେ ନିଜର ଦଳୀୟ ପତାକାକୁ ଦେଖାଇ ବନ୍ୟା ପ୍ରଭାବିତଙ୍କୁ ସହଯୋଗ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ସାଧାରଣ ଲୋକେ ପ୍ରତିକ୍ରିୟାଶୀଳ ହେଉଛନ୍ତି। ଗଣମାଧ୍ୟମରେ ଲୋକେ ପୋଷ୍ଟ କରି ଲେଖୁଛନ୍ତି, ବନ୍ୟାଞ୍ଚଳରେ ସହାୟତା ପ୍ରଦାନ କରିବା ବେଳେ ରାଜନୈତିକ ଦଳମାନେ ନିଜ ଦଳର ପତାକାକୁ ଦେଖାନ୍ତୁ ନାହିଁ। ଅସୁବିଧାରେ ଥିବା ଲୋକ ସହାୟତା ଚାହୁଁଛି, ଏହି ସମୟରେ ରାଜନୀତି କରାଯିବା ଉଚିତ ନୁହେଁ। ସେହିଭଳି ରାଜନୈତିକ ଦଳର କର୍ମୀମାନେ ସୋସିଆଲ ମିଡିଆରେ ଲାଇଭ୍‌ କରି ନିଜ ନେତାଙ୍କ ପ୍ରଚାର ପ୍ରସାର କରିବା ବନ୍ଦ କରନ୍ତୁ। ବିନା ସ୍ବାର୍ଥରେ ସହାୟତା କରାଯାଉ ବୋଲି ସୋସିଆଲ ମିଡିଆରେ ୟୁଜର୍ସମାନେ ଲେଖୁଛନ୍ତି। ଅନ୍ୟପକ୍ଷେ ଅନେକ ସାମାଜିକ ଅନୁଷ୍ଠାନ ବନ୍ୟା ପ୍ରଭାବିତଙ୍କ ପାଇଁ ଶୁଖିଲା ଖାଦ୍ୟ ଏକାଠି କରିବା ଉଦ୍ଦେଶ୍ୟରେ କ୍ରାଉଡ୍‌ ଫଣ୍ଡିଂ କରି ସୋସିଆଲ ମିଡିଆରେ ବିଜ୍ଞାପନ ଦେଉଛନ୍ତି। ଜଣେ ବ୍ୟକ୍ତି କୌଣସି ଅନୁଷ୍ଠାନକୁ ସହଯୋଗ କରିବା ବେଳେ କାହାକୁ ଟଙ୍କା ଦେଉଛି ଓ ଏହା ବନ୍ୟା ପ୍ରଭାବିତଙ୍କ ସ୍ବାର୍ଥରେ ନିୟୋଜିତ ହେଉଛି କି ନାହିଁ ସେନେଇ ପ୍ରଥମେ ନିଶ୍ଚିତ ହୁଅନ୍ତୁ ବୋଲି ଆଇନଜୀବୀ ଶରତ ରାୟଗୁରୁ ମତପ୍ରକାଶ କରିଛନ୍ତି।

Share