Categories: ଖେଳ

ରେକର୍ଡ ବିଷୟରେ ବେଶି ଭାବୁନାହିଁ, ବହୁତ ଦୂର ଯିବାକୁ ଅଛି: ରୋହିତ

ନୂଆଦିଲ୍ଲୀ,୧୨।୧୦: ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପ୍‌ ମୁକାବିଲାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶତକ ମାରି ଅନେକ ରେକର୍ଡ ଭାଙ୍ଗିଛନ୍ତି। ୮୪ ବଲ୍‌ରେ ୧୩୧ ରନ୍‌ର ଇନିଂସ ସହ ରୋହିତ ବିଶ୍ୱକପ୍‌ରେ ସର୍ବାଧିକ ଶତକ ଏବଂ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ ପାଲଟିଛନ୍ତି। ମ୍ୟାଚ୍‌ରେ ନିଜର ପ୍ରଭାବୀ ପ୍ରଦର୍ଶନ ସତ୍ତ୍ୱେ ରୋହିତ ସମସ୍ତ ଶ୍ରେୟ ମଇଦାନକୁ ଦେବା ସହ ରେକର୍ଡ ବିଷୟରେ ବେଶି ଭାବୁ ନ ଥିବା କହିଛନ୍ତି।

୮ ଉଇକେଟରେ ଟିମ୍‌ ଇଣ୍ଡିଆ ବିଜେତା ହେବା ପରେ ରୋହିତ କହିଛନ୍ତି, ଏହି ପିଚ୍‌ ବ୍ୟାଟିଂ ପାଇଁ ଭଲ ଥିଲା। ମୁଁ ନିଜର ସ୍ବାଭାବିକ କ୍ରିକେଟ ଖେଳିଥିଲି। ଥରେ ଦୃଷ୍ଟି ସଠିକ୍‌ ହେଲେ ମଇଦାନରେ ବ୍ୟାଟିଂ କରିବା ସହଜ ହୋଇଯିବ ବୋଲି ଜାଣିଥିଲି। ବିଶ୍ୱକପ୍‌ରେ ଶତକ ମାରିବା ବେଶ ସ୍ବତନ୍ତ୍ର। ଏହାକୁ ନେଇ ବହୁତ ଖୁସି ଅଛି। ହେଲେ ରେକର୍ଡ ବିଷୟରେ ବେଶି ଭାବିବାକୁ ଚାହୁଁନାହିଁ। କାରଣ ଏବେ ବହୁତ ଆଗକୁ ଯିବାର ରହିଛି। ନିଜର ଏକାଗ୍ରତା ହରାଇବାକୁ ଚାହୁଁନାହିଁ। ଦଳକୁ ଭଲ ଆରମ୍ଭ ଦେବା ଏବଂ ଯେତେ ଯାଏ ସମ୍ଭବ ଭଲ ସ୍ଥିତିରେ ପହଞ୍ଚାଇବା ମୋର କର୍ତ୍ତବ୍ୟ। କିଛି ସମୟ ଧରି ଏଭଳି ମୁଁ କରିଆସୁଛି ବୋଲି ସେ କହିଛନ୍ତି।

ଏହାଛଡ଼ା ୧୪ ଅକ୍ଟୋବରରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌କୁ ନେଇ ସେ କହିଛନ୍ତି, ଏହାକୁ ଅନ୍ୟ ମ୍ୟାଚ୍‌ ଭଳି ନେଉଛୁ। ଆଜି ଭଳି ସେହି ମ୍ୟାଚ୍‌ରେ ଖେଳିବାକୁ ଚାହିଁବୁ। ଏଣୁ ବାହାର ଜିନିଷ ବିଷୟରେ ଆମେ ମୁଣ୍ଡ ପୁରାଇବାକୁ ଚାହୁଁନାହୁଁ ବୋଲି ସେ କହିଛନ୍ତି।

Share