Categories: ଜାତୀୟ

‘ଡାକ୍ତରଙ୍କୁ ଫୁଟ୍‌ବଲ ଭଳି ବ୍ୟବହାର କରନାହିଁ’

ନୂଆଦିଲ୍ଲୀ, ୨୮।୯: ଚଳିତ ବର୍ଷ ହେବାକୁ ଥିବା ନ୍ୟାଶନାଲ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକ ପରୀକ୍ଷା ପୋଷ୍ଟଗ୍ରାଜୁଏଟ୍‌ ସୁପର ସ୍ପେଶିଆଲିଟି (ଏନ୍‌ଇଇଟି ଏସ୍‌ଏସ୍‌)ରେ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କରାଯାଇଥିବାରୁ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। କ୍ଷମତା ଖେଳରେ ଯୁବ ଡାକ୍ତରମାନଙ୍କୁ ଫୁଟ୍‌ବଲ୍‌ ଭଳି ବ୍ୟବହାର କରା ନ ଯାଉ। ଡାକ୍ତରମାନଙ୍କୁ ଅଣସମ୍ବେଦନଶୀଳ ବ୍ୟୁରୋକ୍ରାଟ୍‌ମାନଙ୍କ ଦୟାରେ ଛାଡ଼ିଦିଆଯାଇପାରିବ ନାହିଁ ବୋଲି ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ବି.ଭି. ନାଗରତ୍ନଙ୍କ ଖଣ୍ଡପୀଠ କହିଛନ୍ତି। ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ବୈଠକ କରି ଏହା ଉପରେ ଅକ୍ଟୋବର ୪ରେ ରିପୋର୍ଟ ଦାଖଲ କରିବାକୁ ଶୀର୍ଷ ଅଦାଲତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୪୧ ଜଣ ପୋଷ୍ଟଗ୍ରାଜୁଏଟ୍‌ ଡାକ୍ତର ସରକାରଙ୍କ ପରୀକ୍ଷା ପ୍ରଶ୍ନ ଢାଞ୍ଚାରେ ପରିବର୍ତ୍ତନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରଶ୍ନପତ୍ର ସାଧାରଣ ମେଡିସିନ୍‌ ପ୍ରାର୍ଥୀଙ୍କ ସପକ୍ଷରେ ଯାଉଥିବା ସେମାନେ ଅଭିଯୋଗ କରିଥିଲେ। ୨୦୧୮ ଏନ୍‌ଇଇଟି ଏସ୍‌ଏସ୍‌ରେ ଜେନେରାଲ ମେଡିସିନ୍‌ରୁ ୪୦ ପ୍ରତିଶତ ଏବଂ ସୁପର ସ୍ପେଶିଆଲିଟିରୁ ୬୦ ପ୍ରତିଶତ ପ୍ରଶ୍ନ ଆସିଥିଲା। ଏଥର ସବୁତକ ପ୍ରଶ୍ନ ଜେନେରାଲ ମେଡିସିନ୍‌ରୁ ଆସିଥିବାରୁ ସେମାନେ ଏହାର ବିରୋଧ କରିଥିଲେ। ନଭେମ୍ବର ୧୩ ଏବଂ ୧୪ରେ ପରୀକ୍ଷା ହେବ ବୋଲି ଗତ ଜୁଲାଇ ୨୩ରେ ଘୋଷଣା ହୋଇଥିବାବେଳେ ଅଗଷ୍ଟ ୩୧ରେ ପ୍ରଶ୍ନ ଢାଞ୍ଚାରେ ପରିବର୍ତ୍ତନ କରାଯାଇଥିଲା। ଖଣ୍ଡପୀଠ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନକୁ ନେଇ ପ୍ରଶ୍ନ କରିଛନ୍ତି।

Share