‘ଲକ୍‌ଡାଉନ ଯୁଗକୁ ଫେରିବାକୁ ଚାହୁଁନାହୁଁ’

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ବିଭିନ୍ନ ଦେଶରେ ଓ ଭାରତର କେତେକ ରାଜ୍ୟରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବହୁଗୁଣିତ ହେଉଥିବାରୁ ଆମକୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ଆମେ ଆଉ ଲକ୍‌ଡାଉନ ଯୁଗକୁ ଫେରିବା ନାହିଁ। ଏଥିପାଇଁ ସଚେତନତା ଓ କଟକଣା ନିୟମକୁ କଡ଼ାକଡ଼ି ଭାବେ ପାଳନକୁ ନିଶ୍ଚିତ କରିବାକୁ ହେବ। ବୃହତ୍‌ ଜନସଂଖ୍ୟାର ଦେଶ ହୋଇଥିବାରୁ ଟିକାକରଣ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ। ଏଭଳି ସ୍ଥିତିରେ ଆମକୁ ଅତ୍ୟଧିକ ଯତ୍ନବାନ ହେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। କରୋନା ମୁକାବିଲା ନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାମାରୀକୁ ନିୟନ୍ତ୍ରଣ କରିବା ସହ କ୍ଷୟକ୍ଷତିକୁ ସୀମିତ କରିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି। ଏଥିପାଇଁ ସହଯୋଗ ସକାଶେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ କରୋନା ସ୍ଥିତି ଓ ଏହାର ମୁକାବିଲା ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଭର୍ଚୁଆଲ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ଷେ ହେବ କୋଭିଡ୍‌-୧୯ ମହାମାରୀ ଯୋଗୁ ସମଗ୍ର ବିଶ୍ୱ ଏକ ଅଭାବନୀୟ ପରିସ୍ଥିତି ଦେଇ ଗତିକରୁଛି। ବିଶ୍ୱର ସମସ୍ତ ଭାଗକୁ ଏହି ଭୂତାଣୁ ବ୍ୟାପିବା ଯୋଗୁ ପ୍ରତ୍ୟେକ ମନୁଷ୍ୟ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ପରିବାର ଓ ସମାଜ କେବଳ ସ୍ବାସ୍ଥ୍ୟଗତ ନୁହେଁ ଆର୍ଥିକ ଓ ଜୀବିକା କ୍ଷେତ୍ରରେ ମଧ୍ୟ ଗମ୍ଭୀର ରୂପେ ଭାବେ ପ୍ରଭାବିତ ହୋଇଛି । ପ୍ରତ୍ୟେକ ବର୍ଷ ଓଡ଼ିଶା ବାତ୍ୟା ଭଳି ବିପତ୍ତି ଦ୍ୱାରା ପ୍ରଭାବିତ ହେଉଛି। ଏଭଳି ପରିସ୍ଥିତିର ମୁକାବିଲା କରିବାକୁ ରାଜ୍ୟ ପ୍ରଶାସନିକ କଳ ସର୍ବଦା ପ୍ରସ୍ତୁତ ରହିଛି। ଓଡ଼ିଶା ଲୋକଙ୍କ ସହଯୋଗ ଯୋଗୁ ଏହି ମହାମାରୀକୁ ବଡ଼ କ୍ଷତିରୁ ରୋକାଯାଇପାରିଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ଅସମୟରେ ସ୍ବାସ୍ଥ୍ୟକର୍ମୀ ଓ ପ୍ରଶାସନିକ ବ୍ୟବସ୍ଥା ଲଗାତର କାର୍ଯ୍ୟ କରିଆସିଛି। ମହାମାରୀର ଅନ୍ତ ଘଟାଇବା ପାଇଁ ଟିକା ଅତ୍ୟନ୍ତ ଉପାଦେୟ ହେବ ବୋଲି ଜନସାଧାରଣଙ୍କ ବିଶ୍ୱାସ ରହିଛି। କମ୍‌ ସମୟ ଭିତରେ ଟିକା ବିକାଶ କରିଥିବାରୁ ବୈଜ୍ଞାନିକମାନଙ୍କ ପ୍ରତି ଆମେ ସର୍ବଦା କୃତଜ୍ଞ ରହିବୁ । ଟିକା ପ୍ରସ୍ତୁତି କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଦେଶର ଭୂମିକା ଗ୍ରହଣ କରିବା ଆମ ପାଇଁ ଗର୍ବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଟିକାକରଣ କାର୍ଯ୍ୟକ୍ରମରେ ଘରୋଇ କ୍ଷେତ୍ରକୁ ସାମିଲ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। କୋଭିଡ୍‌ ସ୍ବାସ୍ଥ୍ୟ ପ୍ରୋଟୋକଲ ଦୀର୍ଘ ସମୟ କ୍ଳାନ୍ତ ଓ ଅବସୋସ ଆଣିଛି। କୋଭିଡ୍‌-୧୯ ମହାମାରୀ ଯୁଦ୍ଧରେ ରାଜ୍ୟ ସରକାର ସର୍ବଦା କେନ୍ଦ୍ର ସରକାରଙ୍କ ସହ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share