ଖଜୁରିପଡ଼ା,୧।୩: ଜନସାଧାରଣଙ୍କ ହିତ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ପରବର୍ତ୍ତୀ ସମୟରେ ଯୋଜନା ସବୁ କୌଣସି କାର୍ଯ୍ୟରେ ଲାଗୁ ନାହିଁ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛି ପ୍ରତ୍ୟେକ ପଞ୍ଚାୟତରେ ନିର୍ମାଣ ହୋଇଥିବା ଗୋଷ୍ଠୀ ଶୌଚାଳୟ। ଖଜୁରିପଡ଼ା ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ୩ ଲକ୍ଷ ଟଙ୍କା ଲେଖାଏ ଖର୍ଚ୍ଚ କରି ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି। କାରଣ ମଳମୁକ୍ତ ପଞ୍ଚାୟତ ଗଠନ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। କୌଣସି ଜନସାଧାରଣ କିମ୍ବା ରାସ୍ତା ବାଟରେ ଯିବା ଆସିବା କରୁଥିବା ଯାତ୍ରୀ ହେଉ ଅବା ପର୍ଯ୍ୟଟକ ମାନେ ଯେମିତି ଶୌଚ ହେବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ସେ ଦିଗରେ ଦୃଷ୍ଟି ରଖି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍ବଚ୍ଛ ଭାରତ ମିଶନ ଗ୍ରାମୀଣ ମାଧ୍ୟମରେ ପ୍ରତ୍ୟେକ ଲୋକଙ୍କୁ ପାଇଖାନା ଦେବା ସହିତ ବିଭିନ୍ନ ଦାର୍ଶନିକ ସ୍ଥାନ, ଯାତ୍ରୀ ବିଶ୍ରାମ ଗୃହ କିମ୍ବା ପର୍ଯ୍ୟଟନ ସ୍ଥଳୀ ହେଉ ଅବା ପଞ୍ଚାୟତ ଗୁଡ଼ିକର ସଦର ମହକୁମା ଠାରେ ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରିଛନ୍ତି। ସେଗୁଡିକ ବ୍ୟବହାର ପରିବର୍ତ୍ତେ ମାସ ମାସ ଧରି ତାଲା ପଡ଼ି ରହିଛି । ଯାହାଦ୍ୱାରା ଲୋକମାନେ ବାହାରେ ଖୋଲା ପଡ଼ିଆରେ ପରିସ୍ରା ଏବଂ ମଳତ୍ୟାଗ କରୁଛନ୍ତି। ବାହାରେ ଅସନା ହେଉଥିବା ଯୋଗୁ ପରିବେଶ ପରିଚ୍ଛନ୍ନ ସଫା ସୁତୁରା ରହୁ ନାହିଁ। ଗୋଷ୍ଠୀ ଶୌଚାଳୟ ଗୁଡିକରେ ଉଇ ହୁଙ୍କା ଲାଗିଲାଣି। ଅନ୍ୟପକ୍ଷରେ ସରକାର ସ୍ବଚ୍ଛ ଭାରତ ମିଶନ ମାଧ୍ୟମରେ ଗାଁ ଠୁ ସହର ସଫା ସୁତୁରା ରଖିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେହି ସ୍ବପ୍ନକୁ ଦାୟିତ୍ୱ ନେଇଥିବା ଅଧିକାରୀ ମାନେ ଭାଙ୍ଗି ଚୂର୍ ମାର କରି ଦେଉଥିବା ପରିଲକ୍ଷିତ ହେଉଛି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।