ସୁନକ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ପାଇଁ ସିଟ୍‌ ଅଛି, କାହିଁକି ଏମିତି କହି ମଜା ଉଡ଼ାଇଲା ଏୟାରଲାଇନ୍‌ ଜାଣନ୍ତୁ…

ଲଣ୍ଡନ,୫ା୭: ବ୍ରିଟେନ ସାଧାରଣ ନିର୍ବାଚନରେ ଋଷି ସୁନକଙ୍କ କଞ୍ଜରଭେଟିଭ୍‌ ପାର୍ଟି ପରାଜୟର ସମ୍ମୁଖୀନ ହୋଇଛି। ନିର୍ବାଚନରେ ଲେବର ପାର୍ଟି ବହୁମତ ହାସଲ କରିଛି ଏବଂ ବର୍ତ୍ତମାନ କିର୍‌ ଷ୍ଟାର୍ମର ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ଏହି ସମୟରେ ସୁନକଙ୍କ ପରାଜୟକୁ ନେଇ ଏୟାରଲାଇନ୍ସ କମ୍ପାନୀ ରାଇନାର୍‌ ଟ୍ରୋଲ୍‌ କରିଛି।

ବିଧାନସଭା ନିର୍ବାଚନରେ ବାମପନ୍ଥୀ ଲେବର ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଲେବର ପାର୍ଟି ସଂସଦରେ ଥିବା ୬୫୦ଟି ଆସନ ମଧ୍ୟରୁ ୪୧୫ରୁ ଅଧିକ ଜିତିଥିବା ବେଳେ ସୁନକଙ୍କ କଞ୍ଜରଭେଟିଭ୍‌ ପାର୍ଟି ମାତ୍ର ୧୨୦ଟି ସିଟ୍‌ ଜିତିଛି।

ଦଳର ଏହି ପରାଜୟ ପରେ ସୁନକଙ୍କୁୁ ପରିହାସ କରି ରାଇନାର୍‌ ଏକ ପୋଷ୍ଟ କରିଛି। ମଜାଳିଆ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଜଣାଶୁଣା ରାଇନାର୍‌ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଟ୍ରୋଲ୍‌ କରିଥିଲା, ଯାହା ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି।

ରାଇନାର୍‌ କହିଛନ୍ତି ଯେ, ଯଦିଓ ଆପଣ ସଂସଦରେ ନିଜର ଆସନ ହରାଇଛନ୍ତି ତଥାପି ଚିନ୍ତା କରନ୍ତୁ ନାହିଁ। ଆମ ବଜେଟ ଏୟାରଲାଇନ୍ସରେ ଆପଣଙ୍କ ପାଇଁ ଏକ ସିଟ୍‌ ବ୍ୟବସ୍ଥା କରାଯାଇଛି।
ଏୟାରଲାଇନ୍ସର ପୋଷ୍ଟ ବର୍ତ୍ତମାନ ଭାଇରାଲ ହେଉଛି। ଏହାକୁ ୨୬ ଲକ୍ଷ ଲୋକ ଦେଖିଥିବା ବେଳେ ହଜାର ହଜାର ଲୋକ ଶେୟାର କରିଛନ୍ତି। ଜଣେ ୟୁଜର କହିଛନ୍ତି, ଅନେକ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ମୁଁ ଏପରି ମଜାଳିଆ ବିଜ୍ଞାପନ ଦେଖିଛି। ଅନ୍ୟ ଜଣେ ୟୁଜର କହିଛନ୍ତି ସୁନକଙ୍କୁ ଓ୍ବିଣ୍ଡୋ ସିଟ୍‌ ବି ମିଳିଲାନି।

Share