ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ: ବନ୍ଦେ ମାତରମ, ଜୟ ହିନ୍ଦ୍‌ରେ ପ୍ରକମ୍ପିତ ଦାରିଙ୍ଗବାଡି

ଦାରିଙ୍ଗବାଡି,୧୩ ।୮(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଜାତୀୟ ଦିବସ ପାଳନ କମିଟି ତଥା ବ୍ଲକ ପ୍ରଶାସନ ପକ୍ଷରୁ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ଜାତୀୟ ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ବିଡ଼ିଓ ଗଦାଧର ପାତ୍ରଙ୍କ ନେତୃତ୍ୱରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର କୃଷ୍ଣ ଚନ୍ଦ୍ର ନାୟକ, ଆଇଆଇଆସି ଆନନ୍ଦ ଚନ୍ଦ୍ର ପାତ୍ର, ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା, ବ୍ଲକ ଗ୍ରାମ ପଞ୍ଚାୟତ ଅଧିକାରୀ ସୁରେଶ ପଣ୍ଡା, ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରତାପ ବେହେରା, ଏପିଓ କେଦାର ଚନ୍ଦ୍ର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ହେଲିପ୍ୟାଡ଼ ପଡିଆ ଠାରୁ ବିରାଟ ଶୋଭାଯାତ୍ରା ରେ ବାହାରି ଜାଗୃତି କାର୍ଯ୍ୟାଳୟ ଦେଇ ବଜାର ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମରେ ଦାରିଙ୍ଗବାଡିର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ଆଶା କର୍ମୀ, ଅଙ୍ଗନାୱାଡି କର୍ମୀ ପୋଲିସ, ତହସିଲ ପ୍ରଶାସନ ଯୋଗଦେଇ ଲୋକଙ୍କୁ ଘର ଘର ତ୍ରିରଙ୍ଗା ଉଡାଇବା ଓ ସ୍ବାଧୀନତା ଦିବସକୁ ଧୂମଧାମ ରେ ପାଳନ କରିବାକୁ ସଚେତନ କରିଥିଲେ। ସେହିପରି ଅନ୍ୟ ଏକ ଶୋଭାଯାତ୍ରାରେ ସାଇକେଲ, ବାଇକ ଓ ଚାରିଚକିଆ ଗାଡିରେ ଅନେକ ଲୋକ ସାମିଲ ହୋଇଥିଲେ। ଆଉ ଗୋଟିଏ ଦିନ ପରେ ସାରା ଦେଶ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଦାରିଙ୍ଗବାଡି ରେ ମଧ୍ୟ ବ୍ଲକ ସ୍ତରୀୟ ଓ ଗାଁ ଗାଁ ରେ ଏହି ଦିବସ ପାଳନ ପାଇଁ ଉତ୍ସବ ମୁଖର ହୋଇଛି। ଏହି ଦିବସ ପାଇଁ ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯିବ ବୋଲି ଜଣାପଡିଛି।