‘ଶକ୍ତିମାନ’ ଉପରେ ହେବ ଫିଲ୍ମ

ମୁମ୍ବାଇ: ଟେଲି ପରଦାର ଦୂରଦର୍ଶନରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ଶକ୍ତିମାନ’ ସମସ୍ତଙ୍କୁ ମନେଥିବ। ୯୦ଦଶକରେ ଘରେ ଘରେ ପରିଚିତ ଥିବା ପ୍ରଥମ ସୁପରହିରୋ ଶକ୍ତିମାନକୁ କିଏ ବା ଭୁଲିପାରେ। ସେହି ସମୟରେ ଗଙ୍ଗାଧର ଓ ଶକ୍ତିମାନ ନାଁରେ ବେଶ୍‌ ପରିଚିତ ଥିବା ଟିଭି ସିରିୟଲ୍‌କୁ ବଡ଼ଠାରୁ ଆରମ୍ଭ କରି ବୃଦ୍ଧ ଯାଏଁ ସମସ୍ତେ ଦେଖିବାକୁ ବେଶ୍‌ ପସନ୍ଦ କରୁଥିଲେ। ଶକ୍ତିମାନ ଚରିତ୍ରରେ ନଜର ଆସିଥିବା ଅଭିନେତା ମୁକେଶ ଖନ୍ନାଙ୍କୁ କେହି କେହି ଆଜି ବି ଶକ୍ତିମାନ ବୋଲି ସମ୍ବୋଧନ କରିଥାନ୍ତି। ଇତିମଧ୍ୟରେ ଦର୍ଶକଙ୍କ ପାଇଁ ଏବେ ଏକ ଖୁସିଖବର ଆସିଛି। ପୁଣି ଥରେ ବଡ଼ ପରଦାକୁ ଫେରୁଛି ‘ଶକ୍ତିମାନ’।

ଶକ୍ତିମାନ ଉପରେ ଫିଲ୍ମ ନିର୍ମାଣ କରାଯିବ ବୋଲି ସୋନି ପିକଚର୍ସ ଇଣ୍ଟରନ୍ୟାସନାଲ ପ୍ରୋଡକ୍ସନ ପକ୍ଷରୁ ଘୋଷଣା କରାଯାଇଛି। ଏହି ଫିଲ୍ମକୁ ୩ଟି ଭାଗରେ ନିର୍ମାଣ କରାଯିବ। ଆକ୍ସନ, ଥ୍ରୀଲର ଓ ସସ୍‌ପେନ୍ସରେ ଭରପୁର ଥିବା ଏହି ଫିଲ୍ମରେ ଶକ୍ତିମାନ ଚରିତ୍ରରେ ଜଣେ ବଲିଉଡ୍‌ର ସୁପରଷ୍ଟାର ନଜର ଆସିବେ ବୋଲି ଜଣାପଡ଼ିଛି। ନିକଟରେ ଏହି ଫିଲ୍ମର ଛୋଟ ଟିଜର ଶେୟାର ହୋଇଛି। ତରନ ଆଦର୍ଶ ନିଜର ଅଫିସିଆଲ ଟୁଇଟରରେ ଏହି ଟିଜରକୁ ଶେୟାର କରିଛନ୍ତି। ଏଥିରେ ଜଣେ ପିଶାଚର ଛାଇ ମୁମ୍ବାଇ ଉପରେ ପଡ଼ିଥିବାର ଦୃଶ୍ୟ ନଜର ଆସିଛି। ଏଥିସହ ଗ୍ରାଫିକ୍ସରେ ଆନିମେଟେଡ ଡ୍ରେସ୍‌ ଏବଂ ଗଙ୍ଗାଧରର ଚଷମା ଦେଖିବାକୁ ମିଳିଛି। ଏହି ଟିଜରକୁ ଦେଖିବା ପରେ ବହୁ ପ୍ରତିକ୍ଷାର ସହ ଦର୍ଶକ ଟ୍ରେଲରକୁ ଅପେକ୍ଷା କରିଛନ୍ତି ।

Share