Categories: ଖେଳ

ଡୋପ୍‌ ଟେଷ୍ଟ: ଜାଡେଜା ଆଗରେ

ନୂଆଦିଲ୍ଲୀ,୧୦ା୮(ପି.ଟି.): ବୁଧବାର ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି(ନାଡା) ପକ୍ଷରୁ କ୍ରିକେଟରମାନଙ୍କ ଡୋପ୍‌ ଟେଷ୍ଟିଂକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ସମୁଦାୟ ୫୫ ଜଣ କ୍ରିକେଟରଙ୍କଠାରୁ ୫୮ ଥର ନମୁନା(ସାମ୍ପଲ) ସଂଗ୍ରହ କରାଯାଇଛି। ଭାରତୀୟ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କଠାରୁ ସର୍ବାଧିକ ୩ ଥର ଏହି ନମୁନା ସଂଗ୍ରହ କରାଯାଇଛି। ଜୁନ୍‌ ମାସ ମଧ୍ୟରେ ୫୫ ଜଣ ପୁରୁଷ ଓ ମହିଳା କ୍ରିକେଟରଙ୍କଠାରୁ ମୂତ୍ର ଓ ରକ୍ତ ନମୁନା ସଂଗ୍ରହ କରାଯାଇଛି। ଜାନୁୟାରୀରୁ ଜୁନ୍‌ ମାସ ମଧ୍ୟରେ ନମୁନା ସଂଗ୍ରହ କରାଯାଇଥିବା ବେଳେ ରବୀନ୍ଦ୍ର ଜାଡେଜା ସର୍ବାଧିକ ଥର ଦେଇଛନ୍ତି। ଜାଡେଜାଙ୍କ ୩ ସାମ୍ପଲ ଫେବୃୟାରୀ ୧୯, ମାର୍ଚ୍ଚ ୨୬ ଓ ଏପ୍ରିଲ ୨୬ରେ ନିଆଯାଇଥିଲା। ୨୦୨୧ରେ ସମୁଦାୟ ୫୪ ଓ ୨୦୨୨ରେ ସମୁଦାୟ ୬୦ କ୍ରିକେଟରଙ୍କ ନମୁନା ପରୀକ୍ଷଣ କରିଥିଲା ନାଡା। ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ଷ୍ଟାର ଖେଳାଳିଙ୍କଠାରୁ ଥରେ ମଧ୍ୟ ନମୁନା ସଂଗୃହୀତ ହୋଇନାହିଁ।
ଭାରତୀୟ ଟି୨୦ ଦଳର ଅଧିନାୟକ ରହିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିକଟରୁ ଥରେ ସାମ୍ପଲ ନିଆଯାଇଛି। ୨୦୨୧ ଓ ୨୦୨୨ରେ ରୋହିତ ଶର୍ମା ସର୍ବାଧିକ ଟେଷ୍ଟ କରାଯାଇଥିବା ଖେଳାଳି ରହିଥିଲେ। ଚଳିତ ବର୍ଷ ମହିଳା ଖେଳାଳିଙ୍କ ମଧ୍ୟରେ ହରମନ୍‌ପ୍ରୀତ୍‌ କୌର ଓ ସ୍ମୃତି ମାନ୍ଧନା ରହିଛନ୍ତି। ସେହିପରି ଓମେନ୍ସ ପ୍ରିମିୟର ଲିଗ୍‌ ସମୟରେ ପ୍ରାୟ ୨୦ ଖେଳାଳିଙ୍କ ସାମ୍ପଲ ନିଆଯାଇଥିବା ଜଣାପଡିଛି। ୫୮ ସାମ୍ପଲ ମଧ୍ୟରୁ ୭ଟି ରକ୍ତ ନମୁନା ରହିଛି। ଏପ୍ରିଲ୍‌ ୨୭ ତାରିଖରେ ଟି. ନଟରାଜନଙ୍କ ଉଭୟ ମୂତ୍ର ଓ ରକ୍ତ ନମୁନା ପରୀକ୍ଷଣ ପାଇଁ ଯାଇଥିଲା।
କ୍ରିକେଟରମାନଙ୍କ ବ୍ୟତୀତ ଅଲିମ୍ପିକ୍ସ ପଦକ ବିଜେତା ମୀରାବାଈ ଚାନୁ, ବକ୍ସର ଲଭଲିନା ବୋର୍ଗୋହେନ୍‌, ସାଇନା ନେହ୍ବାଲ, କିଡାମ୍ବି ଶ୍ରୀକାନ୍ତ, ରେସ୍‌ଲର ବଜରଙ୍ଗ ପୁନିଆ, ଭିନେଶ ଫୋଗଟ, ହକି ଖେଳାଳି ପି. ଆର. ଶ୍ରୀଜେସ୍‌, ହରମନ୍‌ପ୍ରୀତ୍‌ ସିଂ ଓ ସବିତା ପୁନିଆଙ୍କଠାରୁ ମଧ୍ୟ ନମୁନା ନିଆଯାଇଥିଲା। ୬୦ ପୃଷ୍ଠାର ରିପୋର୍ଟରେ ସମୁଦାୟ ୧୫୦୦ ଖେଳାଳି ଡୋପ୍‌ ଟେଷ୍ଟ ପାଇଁ ନମୁନା ଦେଇଥିବା ଜଣାପଡିଛି। ଟ୍ରାକ୍‌ ଆଣ୍ଡ ଫିଲ୍ଡ ଇଭେଣ୍ଟରୁ ସର୍ବାଧିକ ୫୦୦ ନମୁନା ପରୀକ୍ଷଣ ହୋଇଥିବା ଜଣାପଡିଛି।

Share