Categories: ଖେଳ

ଡୋପିଂ ମାମଲା: ଐଶ୍ୱର୍ଯ୍ୟା ବାବୁ ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୨ା୩(ପି.ଟି.): ନିଷିଦ୍ଧ ଡ୍ରଗ୍ସ ସେବନ ମାମଲାରେ ଦୋଷୀ ସାବ୍ୟସ୍ତ ଟ୍ରିପଲ ଜମ୍ପର ଐଶ୍ୱର୍ଯ୍ୟା ବାବୁଙ୍କୁ ୪ ବର୍ଷ ବାସନ୍ଦ କରାଯାଇଛି। ବୁଧବାର ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ପକ୍ଷରୁ ଏହି ବାସନ୍ଦାଦେଶ ଘୋଷଣା କରାଯାଇଛି। ୨୫ ବର୍ଷୀୟା ଐଶ୍ୱର୍ଯ୍ୟା ଓ ଧାବିକା ଏସ୍‌ ଧନଲକ୍ଷ୍ମୀ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ। ନାଡା ପକ୍ଷରୁ ଐଶ୍ୱର୍ଯ୍ୟାଙ୍କ ନମୁନା ପରୀକ୍ଷଣ ପାଇଁ ନିଆଯାଇଥିଲା। ଜୁନ୍‌ ୨୦୨୨ରେ ଚେନ୍ନାଇରେ ଅନୁଷ୍ଠିତ ଜାତୀୟ ଚାମ୍ପିୟନଶିପରେ ୧୪.୧୪ ମିଟରର ଟ୍ରିପଲ ଜମ୍ପ ସହିତ ସେ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ। ଏହି ଚାମ୍ପିନଶିପରେ ନିଆଯାଇଥିବା ନମୂନା ପଜିଟିଭ୍‌ ଆସିଥିଲା। ଐଶ୍ୱର୍ଯ୍ୟାଙ୍କ ନମୂନାରୁ ନିଷିଦ୍ଧ ଆନାବୋଲିକ୍‌ ଷ୍ଟେରଏଡ ଓଷ୍ଟାରିନ୍‌ ମିଳିଥିଲା। ସିଲେକ୍ଟିଭ୍‌ ଆଣ୍ଡ୍ରୋଜେନ୍‌ ରିସେପ୍ଟର ମଡ୍ୟୁଲେଟର (ସ୍ରାମ) ବର୍ଗର ଏହି ନିଷିଦ୍ଧ ଡ୍ରଗ ତାଙ୍କ ନମୂନାରେ ରହିଥିଲା। ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ଏଭଳି ଡ୍ରଗ୍‌ ବ୍ୟବହାର କରାଯାଏ। ପ୍ରଥମ ରିପୋର୍ଟ ଆସିବା ପରେ ତାଙ୍କୁ ୬ ମାସର ପ୍ରୋଭିଜନାଲ ବାସନ୍ଦାଦେଶ ପ୍ରଦାନ କରାଯାଇଥିଲା। ବାସନ୍ଦାଦେଶର ନୋଟିସ୍‌ ମିଳିବା ପରେ ଐଶ୍ୱର୍ଯ୍ୟା ଫେବୃୟାରୀ ୧୩ରୁ ମାର୍ଚ୍ଚ ୬ ତାରିଖ ମଧ୍ୟରେ ଏହା ବିରୋଧରେ ଅପିଲ୍‌ କରିପାରିବେ।

 

Share