Categories: ଖେଳ

ଡୋପିଂ: ଇଂଲଣ୍ଡ ଫୁଟ୍‌ବଲର ବାସନ୍ଦ

ଲଣ୍ଡନ,୮।୧୦(ଏପି): ଡୋପିଂ କାରଣରୁ ଇଂଲଣ୍ଡ ଫୁଟବଲ ଆସୋସିଏଶନ ତା’ର ଜଣେ ସେକେଣ୍ଡ ଡିଭିଜନ୍‌ ଖେଳାଳିଙ୍କୁ ଦୁଇବର୍ଷ ବାସନ୍ଦ କରିଛି। ବାର୍ନସଲି ଡିଫେଣ୍ଡର ବାମ୍ବୋ ଡିଆବିଙ୍କୁ ବାସନ୍ଦ କରାଯାଇଛି ବୋଲି ଆସୋସିଏଶନ ବୁଧବାର ସୂଚନା ଦେଇଛି। ଫଳରେ ସେ ୨୦୨୨ ପର୍ଯ୍ୟନ୍ତ ଖେଳିପାରିବେ ନାହିଁ। ନିଷିଦ୍ଧ ପଦାର୍ଥ ହାଇଜେନାମାଇନ୍‌ ପାଇଁ ସେ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ। ଏହି ପଦାର୍ଥ ଓଜନ କମାଇବାରେ ସହାୟ ହୋଇଥାଏ ବୋଲି ୟୁ.କେ. ଆଣ୍ଟି ଡୋପିଂ ଏଜେନ୍ସି ତରଫରୁ କୁହାଯାଇଛି। ବାମ୍ବୋ ନିଜର ଦୋଷ ସ୍ବୀକାର କରିଛନ୍ତି। ତେବେ କିପରି ଏହି ପଦାର୍ଥ ତାଙ୍କ ଦେହକୁ ଆସିଲା ସେ ସମ୍ପର୍କରେ ବାମ୍ବୋ କିଛି ସ୍ପଷ୍ଟ କରିନାହାନ୍ତି। ଦୁଇବର୍ଷ ବାସନ୍ଦାଦେଶ ପାଳନ କରିବା ବାଧ୍ୟତାମୂଳକ ବୋଲି ଆସୋସିଏଶନ କହିଛି। ଗତ ନଭେମ୍ବରରେ ବ୍ଲାକବର୍ନ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ସେ ଟେଷ୍ଟ ପଜିଟିଭ ବୋଲି ଜଣାପଡିଥିଲା। ୨୨ ବର୍ଷୀୟ ବାମ୍ବୋ ସ୍ପେନ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ଓ ପୂର୍ବରୁ ସାମ୍ପଡୋରିଆ ସହ ଚୁକ୍ତି କରିଥିଲେ।

Share