Categories: ରାଜ୍ୟ

ଦୋରା, ଦୁରୁଆ ସମ୍ପ୍ରଦାୟ ପାଇବେ ଆଦିବାସୀ ମାନ୍ୟତା: ଏସ୍‌ସି, ଏସ୍‌ଟି ସଂଶୋଧନ ବିଲ୍‌କୁ ସଂସଦର ମଞ୍ଜୁରୀ

ନୂଆଦିଲ୍ଲୀ (ପି.ଟି.)/ଜୟପୁର (ପବନ ପାଣିଗ୍ରାହୀ), ୯ା୨: ଦୀର୍ଘ ଦିନର ଦାବି ପରେ ଦୋରା ଓ ଦୁରୁଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିଛି। ଏହି ସମ୍ପ୍ରଦାୟର ଲୋକେ ଆନ୍ଦୋଳନ ଓ ବିକ୍ଷୋଭ ସହ ନିର୍ବାଚନ ମଧ୍ୟ ବର୍ଜନ କରିଥିଲେ। ୨୦୧୯ ପରଠୁ ଅନେକ ସମୟରେ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ରାୟଗଡା ଜିଲା ଝଡ଼ିଆ, କୋରାପୁଟ ଜିଲାର ଦରା ଓ ଦୁରୁଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ପାଇଁ ସଂସଦରେ ଉଠାଇଥିଲେ। ଗୁରୁବାର ଲୋକ ସଭାରେ ଦୋରା ଓ ଦୂରୁଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ନେଇ ବିଲ ପାସ୍‌ ହେବା ପରେ ଏମ୍‌ପି ସପ୍ତଗିରି ଖୁସି ପ୍ରକଟ କରିଛନ୍ତି।

ସପ୍ତଗିରି କହିଛନ୍ତି, ଆଦିବାସୀ ମାନ୍ୟତାରୁ ବଞ୍ଚିତ, ଧୁରୁଆ, କୋଣ୍ଡା ରେଡ୍ଡୀ, ଦୋରା (ଯାଥା – ମୁକାଦୋରା ଓ ନୁକା ଦୋରା), ଚୁକ୍ଟିଆ ଭୁଞ୍ଜିିଆ, ପାଉଡି ଭୂୟଁା, ତାମଡିଆଙ୍କ ବିଭିନ୍ନ ବର୍ଗ, ସାରା, ରାଜୁଆଡ଼, ସେଲିଆ ପରଜାଙ୍କ ବିଭିନ୍ନ ବର୍ଗ, ମାଙ୍କିଡିଆ, କୁଅଁର ସମ୍ପ୍ରଦାୟର ବିଭିନ୍ନ ବର୍ଗ, କନ୍ଧଙ୍କ ବିଭିନ୍ନ ବର୍ଗ ଓ ବଣ୍ଡା ପରଜାଙ୍କ ବିଭିନ୍ନ ବର୍ଗଙ୍କୁ ଅନୁସୂଚିତ ଜନଜାତି ତାଲିକାଭୁକ୍ତ କରିବା ପାଇଁ ଆଗତ ବିଲ୍‌ ଗୁରୁବାର ଲୋକ ସଭାର ମଞ୍ଜୁରୀ ପାଇଛି। ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାରେ ଅନୁସୂଚୀତ ଜାତି (ଏସ୍‌ସି) ଏବଂ ଅନୁସୂଚୀତ ଜନଜାତି (ଏସ୍‌ଟି) ତାଲିକାରେ ସଂଶୋଧନ ପ୍ରସ୍ତାବ ସମ୍ପର୍କିତ ଏହି ବିଧେୟକ ଧ୍ୱନିମତରେ ପାରିତ ହୋଇଛି। କୋରାପୁଟ ଜିଲା କଣ୍ଡା ଦୋରା, ନୁକା ଦୋରା ଓ ଦୁରୂଆ ସମ୍ପ୍ରଦାୟ ମଧ୍ୟ ସାମିଲ ହୋଇଛନ୍ତି।

Share