‘ଡଟ୍‌ ପେନ୍‌’: ସାଇକୋ କିଲରର ସତ କାହାଣୀ

ଭୁବନେଶ୍ୱର,୧୩।୧୦(ଶର୍ମିଷ୍ଠା ପାଣିଗ୍ରାହୀ: ଏଥର ଫିଲ୍ମ ଫ୍ରାଇଡେ’ରେ ଓଡ଼ିଆରେ ‘ଡଟ୍‌ ପେନ୍‌’ ଓ ହିନ୍ଦୀରେ ‘ଧକ୍‌ ଧକ୍‌’ ସିନେମା ମୁକ୍ତିଲାଭ କରୁଛି। ଫିଲ୍ମ ‘ଡଟ୍‌ ପେନ୍‌’ ଭଉଣୀ, ଭାଇ ଓ ଏକ ଡଟ୍‌ପେନ୍‌ର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି। ଭାଇ ନିଜ ଭଉଣୀ ପାଇଁ ପ୍ରତିଶୋଧ ନେଉଛି। ହେଲେ କାହିଁକି ଓ ଡଟ୍‌ ପେନ୍‌ ସହ କ’ଣ ସମ୍ପର୍କ ଏହି ଦୁଇ ଜଣଙ୍କର? ଏଭଳି ଏକ ସସ୍‌ପେନ୍ସ ସହ ଜଣେ ସାଇକୋ କିଲର୍‌ କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି। ଢେଙ୍କାନାଳର ଏକ ସତ୍ୟ ଘଟଣା ଉପରେ ଆଧାରିତ ଏ ଫିଲ୍ମର ଅଧିକାଂଶ ଦୃଶ୍ୟ କାମାକ୍ଷାନଗରରେ ଶୁଟିଂ ହୋଇଛି। ଅଶ୍ୱିନୀ ତ୍ରିପାଠୀ ଓ ବୀର୍‌ବଲ ଏଣ୍ଟରଟେନମେଣ୍ଟ ପ୍ରଯୋଜିତ ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଅଭିନେତା ଜ୍ୟୋତିରଞ୍ଜନ। ଆଉ ଜ୍ୟୋତିଙ୍କ ଭଉଣୀ ଚରିତ୍ରରେ ଅଭିନୟ କରିଛନ୍ତି ଦିବ୍ୟାଦିଶା ମହାନ୍ତି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ଅଙ୍କିତ କୁମାର। ଏମାନଙ୍କ ବ୍ୟତୀତ ଶକ୍ତି ବରାଳ, ସୁପ୍ରିୟା ନାୟକ, ଅର୍ପିତା ସାହୁ, ପ୍ରିୟମ୍ବଦା, ଅନନ୍ୟା ଦାସ ଓ ଲୋକପ୍ରିୟ ୟୁଟ୍ୟୁବର ରାଜୁ ଦାସ, ସନ୍ତୁଙ୍କ ପରି କଳାକାରମାନେ ମଧ୍ୟ ଅଭିନୟ କରିଛନ୍ତି। ଦୁଇ ନୂଆ ମୁହଁ ପ୍ରୀତି ବିଶ୍ବାଳ ଓ ରୋହନ ଗର୍ଗ ଏ ଫିଲ୍ମର ଅନ୍ୟତମ ଆକର୍ଷଣ ଭୂମିକାରେ ନଜରକୁ ଆସିବେ। ପ୍ରଯୋଜନା, ନିର୍ଦ୍ଦେଶନା, ଚିତ୍ରନାଟ୍ୟ ଦାୟିତ୍ୱରେ ଅଛନ୍ତି ଅଶ୍ୱିନୀ ତ୍ରିପାଠୀ। କାହାଣୀ ଲେଖିଛନ୍ତି ଡ. ଦୀପକ କୁମାର। ସୋମେଶ ଶତପଥୀଙ୍କ ସ୍ବର ସଂଯୋଜନାରେ ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତ୍ତୀ, ସ୍ବୟଂ ପାଢ଼ୀ ଓ ଅର୍ପିତା।
ଅନ୍ୟପକ୍ଷେ ବଲିଉଡ୍‌ ଫିଲ୍ମ ‘ଧକ୍‌ ଧକ୍‌’ର ଥିମ୍‌ ଏହାର ଟାଇଟଲ୍‌ରୁ ହିଁ ବାରିହୋଇପଡୁଛି। ମହିଳାମାନେ ଏକ ରୋଡ୍‌ ଟ୍ରିପ୍‌ରେ ଯାଇ କିଭଳି ଏକ ଏକ୍ସଟ୍ରା ଅର୍ଡିନାରି ଯାତ୍ରା ଶେଷ କରିଛନ୍ତି ତାହା ଏହି ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ। ତେବେ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନେତ୍ରୀ ରତ୍ନା ପାଠକ୍‌ ଶାହା, ଦିୟା ମିର୍ଜା, ସଞ୍ଜନା ସଙ୍ଘି, ଫତିମା ସାନା ଶେଖ୍‌ ରହିଛନ୍ତି। ଫିଲ୍ମଟି ଭାୟାକମ୍‌ ୧୮ ଓ ଜି ମ୍ୟୁଜିକ୍‌ ପକ୍ଷରୁ ମୁକ୍ତିଲାଭ କରୁଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ତରୁଣ ଡୁଡେଜା। ପ୍ରଯୋଜନା ଦାୟିତ୍ୱରେ ଅଭିନେତ୍ରୀ ତାପସୀ ପନ୍ନୁ, ଅଜିତ୍‌ ଅନ୍ଧାରେ, ପ୍ରାଞ୍ଜଳ ଖାନ୍ଦିୟା ଅଛନ୍ତି।

Share