ଅହମ୍ମଦାବାଦ,୮।୧୨: ଗୁଜୁରାଟରେ ୨୦୨୨ ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ଡବଲ ଝଟ୍କା ଲାଗିଛି। ଚଳିତ ଥର କଂଗ୍ରେସକୁ କେବଳ ଲଜ୍ଜ୍ୟାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିନାହିଁ, ବରଂ ଦେଶର ସର୍ବ ପୁରାତନ ଦଳ ଉପରେ ବର୍ତ୍ତମାନ ବିଧାନସଭାରେ ବିରୋଧୀ ଦଳର ନେତା ପଦ ହରାଇବାର ସମ୍ଭାବନା ମଧ୍ୟ ରହିଛି। ଅନ୍ୟପଟେ ଗୁଜୁରାଟ ଇତିହାସରେ ଏହା କଂଗ୍ରେସର ସବୁଠାରୁ ନିରାଶାଜନକ ପ୍ରଦର୍ଶନ। ଯେଉଁଠି ଦଳ ୨୦ ସଂଖ୍ୟା ମଧ୍ୟ ଛୁଇଁପାରିନି। ୧୮୨ ବିଧାନସଭା ଆସନ ବିଶିଷ୍ଟ ଦେଶର ପଶ୍ଚିମ ରାଜ୍ୟରେ କଂଗ୍ରେସ ମାତ୍ର ୧୬ଟି ଆସନ ଜିତିଥିବା ଜଣାପଡିଛି। ସୂଚନା ମୁତାବକ, ବିରୋଧୀ ଦଳର ନେତା ପଦ ପାଇଁ ଯେକୌଣସି ବିରୋଧୀ ଦଳକୁ ଗୃହରେ ମୋଟ ଆସନ ସଂଖ୍ୟା ଅତିକମ୍ରେ ୧୦ପ୍ରତିଶତ ଜିତିବା ଆବଶ୍ୟକ, ଯାହା ଗୁଜୁରାଟ କ୍ଷେତ୍ରରେ ଅତିକମ୍ରେ ୧୯ଟି ଆସନ ରହିବା ଉଚିତ୍।