ଦିଲ୍ଲୀ-ପଞ୍ଜାବ-କେରଳରେ କରୋନାର ଦୋହରା ମାଡ଼: ପାର୍ବଣଋତୁରେ ଅଧିକ ସଂକ୍ରମଣ ଆଶଙ୍କା

ନୂଆଦିଲ୍ଲୀ, ୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଇତିମଧ୍ୟରେ ଦିଲ୍ଲୀ, ପଞ୍ଜାବ ଏବଂ କେରଳରେ କରୋନାର ଦୋହରା ମାଡ଼ ଆରମ୍ଭ ହୋଇଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩ ଲକ୍ଷ ୧୨ ହଜାର ୫୮୫ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୯୮ ହଜାର ୬୭୮ ଛୁଇଁଛି। ୫୨ ଲକ୍ଷ ୭୩ ହଜାର ୨୦୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୯ ଲକ୍ଷ ୪୦ ହଜାର ୭୦୫ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଆଗକୁ ପାର୍ବଣଋତୁ ଆସୁଛି। ଏହି ସମୟରେ କରୋନା ସଂକ୍ରମଣ ଅଧିକ ହେବାର ଆଶଙ୍କା ରହିଛି ବୋଲି ହେଲଥ୍‌ ଫାଉଣ୍ଡେଶନ୍‌ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀନାଥ ରେଡ୍ଡୀ କହିଛନ୍ତି। ଦୁର୍ଗା ପୂଜା,ଛଠ୍‌ ଏବଂ ଦୀପାବଳି ଆଦି ପର୍ବ ସମୟରେ ଲୋକେ ସଚେତନତା ମାର୍ଗଦର୍ଶିକା ପାଳନ କରିବା ନେଇ ସନ୍ଦେହ ସୃଷ୍ଟି ହେଉଥିବା ସେ କହିଛନ୍ତି। ଏପରି ହେଲେ ଦୀପାବଳି ବେଳକୁ ଦେଶରେ କରୋନା ସଂକ୍ରମଣ ଅଣାୟତ ହେବ। ଏହି ସମୟରେ କରୋନା ବୋମା ପୁଣି ଫୁଟିବ ବୋଲି ସେ କହିଛନ୍ତି। ଦିଲ୍ଲୀରେ ଜୁନ୍‌ରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିଥିଲା। ପରବର୍ତ୍ତୀ ସମୟରେ ଜୁଲାଇରେ ଏଠାରେ ସଂକ୍ରମଣ କମିଥିଲା। ତେବେ ସେପ୍ଟେମ୍ବରରେ ପୁଣି ଏଠାରେ କରୋନା ସଂକ୍ରମଣ ବଢ଼ିଛି। ସେହିପରି ପଞ୍ଜାବରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। କେରଳରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସଂକ୍ରମଣ ଥମିଥିଲା। ତେବେ ଏବେ ଏଠାରେ ସଂକ୍ରମଣ ବଢ଼ିବାରେ ଲାଗିଥିବା ସେ ସୂଚନା ଦେଇଛନ୍ତି।

Share