Categories: ଖେଳ

କବୀର, ଅଭୀପ୍ସାଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର,୧୧ା୧୨(ସରୋଜ ଜେନା): ୨୨ତମ ରାଜ୍ୟସ୍ତରୀୟ ନାଲ୍‌କୋ ଓପନ ରବିବାର ଉଦ୍‌ଯାପିତ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଟୁର୍ନାମେଣ୍ଟର ସିଙ୍ଗଲ୍ସ ଇଭେଣ୍ଟର ପୁରୁଷ ଓ ମହିଳା ବର୍ଗରେ ଯଥାକ୍ରମେ କବୀର ହଂସ ଓ ଅଭୀପ୍ସା ଦେହୁରୀ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ଉଦ୍‌ଯାପନୀ ଦିବସରେ ନାଲ୍‌କୋର ଚେୟାରମ୍ୟାନ୍‌ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଟାଟା ଷ୍ଟିଲ୍‌ର ରେସିଡେଣ୍ଟ ହେଡ୍‌ ଅଶ୍ୱିନ୍‌ ପ୍ରସାଦ ମହାନ୍ତି ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଜିଲା ଟେନିସ୍‌ ଆସୋସିଏଶନ (ବିଡିଟିଏ)ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା ସୁରେଶ ଚନ୍ଦ୍ର ମହାପାତ୍ର, ବିଡିଟିଏ ସମ୍ପାଦକ ଶାଶ୍ୱତ ମିଶ୍ର, ଜଙ୍ଗଲ ବିଭାଗ ଅଧିକାରୀ ଦେବୀଦତ୍ତ ବିଶ୍ୱାଳ, ଏମ୍ସ ପ୍ରଫେସର ସରୋଜ କୁମାର ଦାସ ମଜୁମ୍‌ଦାର ଓ ବିଡିଟିଏ ଯୁଗ୍ମ ସମ୍ପାଦକ ଆର. ବିଶ୍ୱନାଥ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ସମସ୍ତ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ପୁରୁଷ ସିଙ୍ଗଲ୍ସ ବର୍ଗରେ କବୀର ହଂସ ୬-୨ ଓ ୬-୦ ଗୋଲରେ ପ୍ରତ୍ୟୁଷ ମହାନ୍ତିଙ୍କୁ ପରାସ୍ତ କରିଥିଲେ। ମହିଳା ସିଙ୍ଗଲ୍ସ ଫାଇନାଲରେ ଅଭୀପ୍ସା ଦେହୁରୀ ୬-୨ ଓ ୬-୨ରେ କ୍ରିଷ୍ଣାରାଜଙ୍କୁ ପରାସ୍ତ କରିଛନ୍ତି। ପୁରୁଷ ଡବଲ୍ସ ଫାଇନାଲରେ କବୀର ହଂସ ଓ ଦେବାଶିଷ ସାହୁଙ୍କ ଯୋଡ଼ି ୬-୨, ୬-୨ ସେଟ୍‌ରେ ପ୍ରତ୍ୟୁଷ ମହାନ୍ତି ଓ ଅନୁରାଗ ଶରଣଙ୍କୁ ପରାସ୍ତ କରିଛନ୍ତି। ୧୪ ବର୍ଷରୁ କମ୍‌ ବାଳକ ବର୍ଗରେ ଆଦିତ୍ୟ ବିକ୍ରମ୍‌ ଆଚାର୍ଯ୍ୟ ୬-୧, ୬-୭(୫), ୬-୪ରେ ଆହାନ୍‌ ମିଶ୍ରଙ୍କୁ ପରାସ୍ତ କରି ଟାଇଟଲ ହାତେଇଛନ୍ତି। ୧୪ ବର୍ଷରୁ କମ୍‌ ବାଳିକା ବର୍ଗରେ ଅଭୀପ୍ସା ଦେହୁରୀ ଚମତ୍କାର ପ୍ରଦର୍ଶନ କରି ୬-୨, ୬-୦ରେ ସାନ୍‌ଭି ମହାନ୍ତିଙ୍କୁ ହରାଇଥିଲେ। ୧୮ ବର୍ଷରୁ କମ୍‌ ବାଳକ ବର୍ଗରେ ଆଦିତ୍ୟ ବିକ୍ରମ ଆଚାର୍ଯ୍ୟ ୬-୨, ୬-୧ ସେଟ୍‌ରେ ଅଂଶୁମାନ ଆଚାର୍ଯ୍ୟଙ୍କୁ ପରାସ୍ତ କରିଥିଲେ। ୪୦+ ବୟସ ବର୍ଗରେ ସତୀର୍ଥ ପଟ୍ଟନାୟକ ଓ ଅରୁଣ କୁମାର ନାୟକଙ୍କ ଯୋଡ଼ି ଦୟାଲ ଗଙ୍ଗଓ୍ବାର ଓ ଶାଶ୍ୱତ ଜେନା ଯୋଡ଼ିକୁ ୮-୬ରେ ପରାସ୍ତ କରିଛି। ୫୦+ ବୟସ ବର୍ଗରେ ଶାଶ୍ୱତ ଜେନା ଓ ଦୟାଲ ଗଙ୍ଗଓ୍ବାର ଟାଇଟଲ ହାସଲ କରିଥିଲେ। ୬୦+ ବୟସ ବର୍ଗରେ ଅଜୟ ମହାପାତ୍ର ଓ ଏସ୍‌.ଏସ୍‌. ରଥ ଟାଇଟଲ ହାସଲ କରିଥିଲେ।

Share