ଟିକାର ଡବଲ ଡୋଜ୍‌ ବି ଅକାମୀ, ୧୦ରୁ ୯ ଜଣ ଓମିକ୍ରନ୍‌ରେ ଆକ୍ରାନ୍ତ…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ କ୍ଷେତ୍ରରେ ଟିକାର ଡବଲ ଡୋଜ୍‌ ବି ଅକାମୀ ହେବାରେ ଲାଗିଛି। ଡବଲ ଡୋଜ୍‌ ନେଇଥିବା ୧୦ରୁ ୯ ଜଣ ଓମିକ୍ରନ୍‌ରେ ଆକ୍ରାନ୍ତ ହେଉଛନ୍ତି।

ଭାରତରେ ୧୮୩ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ ବିଶ୍ଳେଷଣ କରାଯାଇଛି। ଏହା ଦର୍ଶାଇଛି ଯେ କୋଭିଡ-୧୯ ର ଅତ୍ୟଧିକ ଟ୍ରାନ୍ସମିସିବଲ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ନଅ ଜଣ ଡବଲ୍‌ ଡୋଜ୍‌ ଟିକା ନେଇଛନ୍ତିି। ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି ଯେ ମହାମାରୀରୁ ଦୂରେଇ ରହିବା ପାଇଁ କେବଳ ଟିକା ଯଥେଷ୍ଟ ନୁହେଁ। ସଂକ୍ରମଣକୁ ରୋକିବା ପାଇଁ ମାର୍ଗଦର୍ଶିକା ପାଳନ ସହିତ ମାସ୍କର ବ୍ୟବହାର ଏବଂ ରୋଗର ନୀରିକ୍ଷଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଦ୍ୱାରା ପ୍ରକାଶିତ ଏକ ବିଶ୍ଳେଷଣରୁ ଜଣାପଡିଛି ଯେ ୨୭ ପ୍ରତିଶତ ମାମଲାରେ କୌଣସି ବିଦେଶ ଭ୍ରମଣର ରେକର୍ଡ ଲିପିବଦ୍ଧ ହୋଇନାହିଁ। ସେହିପରି ୮୭ ଜଣ ଅର୍ଥାତ୍‌ ୯୧ ପ୍ରତିଶତ କ୍ଷେତ୍ରରେ ସମ୍ପୂର୍ଣ୍ଣ ଟିକାକରଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ତିନିଜଣଙ୍କୁ ବୁଷ୍ଟର ଡୋଜ ଦିଆଯାଇଥିଲା ଏବଂ ୧୮୩ ଜଣଙ୍କ ମଧ୍ୟରୁ କେବଳ ସାତଜଣଙ୍କର ଟିକାକରଣ କରାଯାଇ ନଥିବା ବେଳେ ଦୁଇଜଣଙ୍କୁ ଗୋଟିଏ ଲେଖାଏଁ ଡୋଜ୍‌ ଦିଆଯାଇଥିଲା। ବିଶ୍ଳେଷଣ କରାଯାଇଥିବା ଲୋକଙ୍କ ମଧ୍ୟରୁ ୭୩ ଜଣଙ୍କର ଟିକାକରଣ ସ୍ଥିତି ଜଣା ନାହିଁ ଏବଂ ୧୬ ଜଣ ଟିକାକରଣ ପାଇଁ ଯୋଗ୍ୟ ନୁହଁନ୍ତି ବୋଲି କେନ୍ଦ୍ରୀୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share