Categories: ଜାତୀୟ

ଉତ୍ତରପ୍ରଦେଶରେ ଡବଲ ଏନକାଉଣ୍ଟର୍‌: ବିକାଶ ପରେ ଆଉ ଜଣେ ଅପରାଧୀ ନିହତ

ଲକ୍ଷ୍ନୌ,୧୦।୭: ଉତ୍ତର ପ୍ରଦେଶ ପୋଲିସର ଡବଲ ଏନକାଉଣ୍ଟର। ଶୁକ୍ରବାର ସକାଳେ ମୁଣ୍ଡ ପିଛା ୫ ଲକ୍ଷ ଟଙ୍କା ପୁରସ୍କାର ଥିବା ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କୁ ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ପୋଲିସ ଏନ୍‌କାଉଣ୍ଟର କରିଛି। ବିକାଶ ପରେ ବାହାରିଚ୍‌ରେ ପୋଲିସ ଆଉ ଜଣେ କୁଖ୍ୟାତ ଅପରାଧୀର ଏନ୍‌କାଉଣ୍ଟର କରିଥିବା ସୂଚନା ମିଳିଛି। ବାହାରିଚ୍‌ରେ ଏସ୍‌ଟିଏଫ୍‌ ଟିମ୍‌ ଓ ହରଦି ଥାନାର ପୋଲିସ ମିଳିତ ଭାବେ କୁଖ୍ୟାତ ଅପରାଧୀ ପାନ୍ନା ଯାଦବଙ୍କୁ ଗୁଳି କରିଛନ୍ତି। ଘଟଣାସ୍ଥଳରେ ପାନ୍ନା ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ ପିଏଚ୍‌ସିରୁ ଜିଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗୋଟିଏ ଦିନରେ ଉତ୍ତରପ୍ରଦେଶ ପୋଲିସର ଡବଲ ଏନ୍‌କାଉଣ୍ଟର ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ପାନ୍ନା ବହୁ ଅପରାଧିକ ମାମଲାରେ ଜଡିତ ଥିବା ବେଳେ ତାଙ୍କ ନାଁରେ ପୋଲିସ ୫୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା। ଗୋରଖପୁର ଜେଲରୁ ଜେଲରଙ୍କୁ ମାଡ଼ମାରି ଖସିପଳାଇଥିବା ପାନ୍ନା ବିରୋଧରେ ୨୦ରୁ ଅଧିକ ହତ୍ୟା, ଡକାୟତି ଓ ବଟି ଆଦାୟ ଭଳି ମାମଲା ରହିଛି। ମହରାଜାଗଞ୍ଜ, ଗୋରଖପୁର, ବାରାବାଙ୍କି, ଆଜମଗଡ଼ ଓ ଲକ୍ଷୀପୁର ଜିଲାରେ ତାଙ୍କ ନାଁରେ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି।

Share