ଶାହାରୁଖଙ୍କ ଜନ୍ମଦିନରେ ପୁଣି ରିଲିଜ ହେବ ‘ଦିଲଓ୍ବାଲେ ଦୁଲ୍‌ହନିଆଁ ଲେ ଜାଏଗେଁ’

ବମ୍ବେ: ବଲିଉଡ୍‌ ବାଦ୍‌ଶାହ ଶାହାରୁଖଙ୍କ ଜନ୍ମଦିନରେ ପୁଣି ଥରେ ରିଲିଜ ହେବ ‘ଡିଡିଏଲ୍‌ଜେ’। ଅଭିନେତାଙ୍କ ଏହି ଆଇକନିଂ ଫିଲ୍ମ ‘ଦିଲଓ୍ବାଲେ ଦୁଲ୍‌ହନିଆଁ ଲେ ଯାଏଗେଁ’କୁ ସିନେମାଘରେ ଦର୍ଶକେ ଦେଖିପାରିବେ। ନଭେମ୍ବର ୨ରେ ଶାହାରୁଖ ୫୭ ବର୍ଷର ହେବେ। ଏହାକୁ ଏବେ ଦିନ କେଇଟା ବାକି ଥିବା ବେଳେ ପ୍ରଶଂସକମାନଙ୍କ ଲାଗି ଏଭଳି କିଛି ଖାସ୍‌ ଯୋଜନା କରାଯାଉଛି।

୧୯୯୫ ଅକ୍ଟୋବର ୨୦ରେ ଥିଏଟରରେ ରିଲିଜ ହୋଇଥିଲା ଡିଡିଏଲ୍‌ଜେ। ଏହା ସିନେମା ଇତିହାସରେ ଦୀର୍ଘ ସମୟ ଧରି ଚାଲିଥିବା ଫିଲ୍ମ ପାଲଟିଥିଲା। ଲକ୍‌ଡାଉନ୍‌କୁ ଛାଡ଼ିଲେ ଆଜି ବି ଏହି ଫିଲ୍ମ ଲଗାତାର ୨୭ ବର୍ଷ ଧରି ମୁମ୍ବାଇର ମରାଠା ମନ୍ଦିର ଥିଏଟରରେ ଚାଲୁଛି। ଏବେ ଏହା ମରାଠା ମନ୍ଦିର ବ୍ୟତିତ ସାରା ଦେଶର ଅନେକ ସିନେମାଘରେ ରିଲିଜ ହେବ। ଦିଲ୍ଲୀ, ମୁମ୍ବାଇ, କୋଲକାତା, କାନପୁର, ଅହମ୍ମଦାବାଦ, ଲକ୍ଷ୍ନୌ, ପୁଣେ,ସୁରତ ଆଦି ସହରରେ ଫିଲ୍ମ ଲାଗି ଆଡଭାନ୍ସ ବୁକିଂ ମଧ୍ୟ ଆରମ୍ଭ ହୋଇସାରିଛି। ଜନ୍ମଦିନରେ ରିଲିଜ ହେଉଥିବାରୁ ଟିକେଟ ଦାମ୍‌ ବହୁତ କମ୍‌ ରହିବ। ଏଣୁ ପୁଣି ଥରେ ଦର୍ଶକେ ଏହାକୁ ଦେଖିବାକୁ ଭିଡ ଜମାଇବେ ବୋଲି ଆଶା କରାଯାଉଛି।

ଏହାଛଡ଼ା ଶାହାରୁଖଙ୍କ ଆଗାମୀ ଫିଲ୍ମ ‘ପଠାନ୍‌’ର ଟିଜର ମଧ୍ୟ ଏହି ଦିନ ରିଲିଜ ହେବ। ୨୦୨୩ ଜାନୁୟାରୀ ଏହା ପରଦାକୁ ଆସିବ। ଏହା ଜଣାପଡ଼ିବା ପରେ ପ୍ରଶଂସକଙ୍କ ଲାଗି ଅଭିନେତା ଡବଲ୍‌ ଖୁସିର ବନ୍ଦୋବସ୍ତ କରିଥିବା କୁହାଯାଉଛି।

Share