ରାଜଧାନୀରେ ଡବଲ ହେଲ୍‌ମେଟ୍‌ ଚେକିଂ: ୫୦ରୁ ଊର୍ଦ୍ଧ୍ୱ ଅମାନିଆ ଜରିମାନା ଗଣିଲେ

ଭୁବନେଶ୍ୱର,୨।୧(ବ୍ୟୁରୋ): କିଛିଦିନର ନିସ୍ତାର ଓ ସଚେତନତା ପରେ ଜାନୁୟାରୀ ୧ରୁ ଡବଲ ହେଲମେଟ୍‌ ଚେକିଂ ଆରମ୍ଭ ହୋଇଛି। ବାଇକ ଚଲାଇବା ସମୟରେ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏନେଇ ଶୁକ୍ରବାର ରାଜଧାନୀର ବିଭିନ୍ନ ସ୍ଥାନରେ ହେଲ୍‌ମେଟ୍‌ ଚେକିଂ କରାଯାଇଥିଲା। ଚେକିଂ ସମୟରେ ୫୦ରୁ ଊର୍ଦ୍ଧ୍ୱ ଅମାନିଆ ପୋଲିସ ହାତରେ ଧରାପଡିଥିଲେ। ନୂତନ ମୋଟର ଯାନ ନିୟମ ଅନୁଯାୟୀ, ସେମାନଙ୍କ ନିକଟରୁ ୧୦୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଥଲା। ତେବେ ପ୍ରଥମ ଦିନରେ ଚେକିଂ ସାମାନ୍ୟ କୋହଳ କରାଯାଇଥିବାବେଳେ ଲୋକଙ୍କୁ ସଚେତନ କରାଯାଇଥିଲା। ଶନିବାରଠାରୁ ଡବଲ ହେଲ୍‌ମେଟ୍‌ ଚେକିଂ କଡାକଡି କରାଯିବ ବୋଲି ଟ୍ରାଫିକ ପୋଲିସ ପକ୍ଷରୁ କୁହାଯାଇଛି। ପୂର୍ବରୁ କେବଳ ଗାଡି ଚାଳକଙ୍କ ପାଇଁ ହେଲ୍‌ମେଟ୍‌ ବାଧ୍ୟତାମୂଳକ ଥିବାବେଳେ କିଛିମାସ ତଳେ ଉଭୟ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲ୍‌ମେଟ୍‌ ପିନ୍ଧିବା ପାଇଁ ପରିବହନ ବିଭାଗ ପକ୍ଷରୁ ବାଧ୍ୟତାମୁଳକ କରାଯାଇଥିଲା। ଜାନୁୟାରୀ ୧ରୁ ଏହି ନିୟମ କଡାକଡି ପାଇଁ ନିଷ୍ପତ୍ତି ହୋଇଥିଲା। ତଦନୁଯାୟୀ ଏହି ନିୟମ ଲାଗୁ କରାଯିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଉଭୟ ହେଲ୍‌ମେଟ୍‌ ପିନ୍ଧି ନ ଥିଲେ ଜରିମାନା ସହ ସାମୟିକ ସମୟ ପାଇଁ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ। କରୋନା ପାଇଁ ଗାଡି ଲାଇସେନ୍ସ ଓ ଅନ୍ୟାନ୍ୟ କାଗଜ ପତ୍ରରେ ବିଳମ୍ବ ହେଉଥିବାରୁ ପରିବହନ ବିଭାଗ ପକ୍ଷରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମୟ ବୃଦ୍ଧି କରାଯାଇଛି। ହେଲେ ଏହା ମଧ୍ୟରେ ଯେଉଁ ବ୍ୟକ୍ତି ହେଲ୍‌ମେଟ୍‌ ନ ପିନ୍ଧି ଗାଡି ଚଳାଉଥିବା ସମୟରେ ଧରାପଡିବେ ସେମାନଙ୍କ କାଗଜପତ୍ର ଯାଞ୍ଚ କରାଯିବ। କାଗଜପତ୍ର ନ ଥିଲେ ସେହି ଅନୁଯାୟୀ ଜରିମାନା ଲାଗୁ କରାଯିବ। ତେବେ ନିଶାସକ୍ତ ବ୍ୟକ୍ତି ଯଦି ଗାଡି ଚଲାଇବା ସମୟରେ ଧରାପଡେ ତାଙ୍କର ସମସ୍ତ କାଗଜପତ୍ର ଥିଲେ ମଧ୍ୟ ତାଙ୍କୁ ଜେଲ ପଠାଯିବ ବୋଲି ଟ୍ରାଫିକ ପୋଲିସ ସୂଚନା ଦେଇଛି।

Share