ଜାନୁୟାରୀ ପହିଲାରୁ ଡବଲ ହେଲ୍‌ମେଟ ଚେକିଂ କଡ଼ାକଡ଼ି

ଭୁବନେଶ୍ୱର,୩୧ା୧୨(ବ୍ୟୁରୋ)-ଜାନୁୟାରୀ ପହିଲାରୁ ବାଇକ ପଛ ସିଟ୍‌ରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ହେଲ୍‌ମେଟ ବାଧ୍ୟତାମୂଳକ କରାଯିବ। ଏ ନେଇ ଯାଞ୍ଚ କଡ଼ାକଡ଼ି କରାଯିବ। ଯେଉଁମାନେ ହେଲ୍‌ମେଟ ପିନ୍ଧି ନ ଥିବେ ସେମାନଙ୍କର ଅନ୍ୟାନ୍ୟ ଗାଡି କାଗଜପତ୍ର ମଧ୍ୟ ଯାଞ୍ଚ କରାଯିବ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ଏହି ସୂଚନା ଦେଇଛନ୍ତିି। ରାଜ୍ୟରେ ସଡ଼କ ଦୁର୍ଘଟଣାରେ ବହୁ ଲୋକ ପ୍ରାଣ ହରାଉଛନ୍ତି । ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ତାଗିଦ ପରେ ରାଜ୍ୟ ସରକାର ଦୁର୍ଘଟଣା ହ୍ରାସ କରିବାକୁ ବାଇକ ପଛରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ହେଲ୍‌ମେଟ ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି । ହେଲ୍‌ମେଟ ନ ପିନ୍ଧି ଓ ମଦ ପିଇ ଦ୍ରୁତ ଗତିରେ ଗାଡି ଚଳାଇବା ଦ୍ୱାରା ବହୁ ଦୁର୍ଘଟଣା ଘଟୁଛି। ଦୁଇଚକିଆ ଯାନରେ ଅଧିକ ଦୁର୍ଘଟଣା ଘଟୁଛି। ଏହାକୁ ହ୍ରାସ କରିବା ପାଇଁ ନୂଆବର୍ଷରୁ ଡବଲ ହେଲ୍‌ମେଟ ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହିତ ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ି କରିବାକୁ ଟ୍ରାଫିକ୍‌ ଏବଂ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

Share