ଗୁଣି ଗାରେଡି ସନ୍ଦେହରେ ଡବଲ ମର୍ଡର

ପାରଳାଖେମୁଣ୍ଡି, ୨୬।୯(ଗିରିଧାରୀ ପରିଛା): ଗଜପତି ଜିଲରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଘୋଡ଼ାପଙ୍କା ଗାଁରେ ଗୁଣି ଗାରେଡି ସନ୍ଦେହରେ ସ୍ବାମୀ ଓ ସ୍ତ୍ରୀ ଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ମୃତକମାନେ ହେଲେ ଘୋ ଗାଁର କପିଳେନ୍ଦ୍ର ମଳିକ ଓ ତାଙ୍କ ସ୍ତ୍ରୀ ଶଶୀତା ମଳିକ। ସ୍ବାମୀଙ୍କୁ ଘରେ ହତ୍ୟା କରିଥିବା ବେଳେ ସ୍ତ୍ରୀଙ୍କୁ ଗୋଡେଇ ଗୋଡେଇ ଦୁର୍ବୃତ୍ତମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତଦେହ ଜବତ କରି ଅଧିକ ଖୋଳତାଡ କରୁଛି ଅଡବା ଥାନା ପୋଲିସ।
ସୂଚନା ଅନୁଯାୟୀ, ଘୋଡାପଙ୍କା ଗ୍ରାମର କପିଳେନ୍ଦ୍ର ମଳିକ ଗୁଣି କରି ଲୋକଙ୍କୁ ମାରୁଥିବା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗତ ଫେବୃଆରୀ ମାସରେ କିଛି ଲୋକତାଙ୍କୁ ଗୁଳି ମାଡ଼ କରିଥିଲେ। ଚିକିତ୍ସା ହୋଇ ସୁସ୍ଥ ହେବାପରେ ଅଡବାରେ ରହୁଥିଲେ କପିଳେନ୍ଦ୍ର ଏବଂ ତାଙ୍କ ପରିବାର। ଗତ ପାଞ୍ଚ ମାସ ଧରି କପିଳେନ୍ଦ୍ର ପରିବାର ସହ ଘୋଡାପଙ୍କା ଗ୍ରାମରେ ରହୁଥିଲେ। ତେବେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କପିଳେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀଙ୍କ ଉପରେ ମରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ କପିଳେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବାବେଳେ କୌଣସି ପ୍ରକାରେ ଘଟଣାସ୍ଥଳରୁ ଖସି ଆସିଥିଲେ ସ୍ତ୍ରୀ ଶଶୀତା। ଘୋଡ଼ାପଙ୍କା ଉପର ସାହିରେ ଶଶୀତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲେ ତାଙ୍କ ବାପ ଘର ଲୋକେ। ତେବେ ଏନେଇ ଗ୍ରାମବାସୀ କୌଣସି ସଠିକ ତଥ୍ୟ ଦେଉ ନ ଥିବାବେଳେ ଅଡବା ପୋଲିସ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।