୨ ଦିନରେ ଦ୍ୱିଗୁଣିତ ଓମିକ୍ରନ୍‌

ଲଣ୍ଡନ,୧୪ା୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ୬୦ରୁ ଅଧିକ ଦେଶରେ ତୀବ୍ର ଗତିରେ ମାଡ଼ିଚାଲିଛି। ବିଶେଷ କରି ବ୍ରିଟେନରେ ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି। ସୋମବାର ଜଣେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଏବେ ଚିନ୍ତା ବଢ଼ିଛି। ବ୍ରିଟେନ ବିଶେଷଜ୍ଞଙ୍କ ରିପୋର୍ଟ ଅନୁସାରେ, ଘାତକ ଡେଲ୍ଟା ସଂକ୍ରମଣ ଦୁଇଗୁଣ ହେବାକୁ ୪ ଦିନ ଲାଗୁଥିବା ବେଳେ ଓମିକ୍ରନ ମାମଲା ମାତ୍ର ୨ ଦିନରେ ଦ୍ୱିଗୁଣିତ ହେଉଛି।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ବ୍ରିଟେନର ଗବେଷକମାନେ ଓମିକ୍ରନ୍‌ ଦ୍ୱାରା ସଂକ୍ରମିତ ହୋଇଥିବା ୧୨୧ ପରିବାର ଉପରେ ଅଧ୍ୟୟନ କରିଥିଲେ। ଡେଲ୍ଟା ଅପେକ୍ଷା ଓମିକ୍ରନ ସଂକ୍ରମଣ ୩.୨ ଗୁଣା ଅଧିକ ଥିବା ସେମାନେ ଜାଣିବାକୁ ପାଇଥିଲେ। ଅନ୍ୟପକ୍ଷରେ ଏହି ନୂଆ ଭାରିଆଣ୍ଟ ଯୋଗୁ ବ୍ରିଟେନରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ୧୫୭୬ ମାମଲା ସାମ୍‌ନାକୁ ଆସିବା ପରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୪,୭୧୩ରେ ପହଞ୍ଚିଛି। ଏଥିଯୋଗୁ ଦୈନିକ ସଂକ୍ରମଣ ପ୍ରାୟ ୨ ଲକ୍ଷ ରହିଥିବା ବ୍ରିଟେନ୍‌ ହେଲ୍‌ଥ ସିକ୍ୟୁରିଟି ଏଜେନ୍ସି କହିଛି। ଏବେ ସେଠାରେ ୧୦ ଓମିକ୍ରନ ସଂକ୍ରମିତଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ସେମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ବୟସ ୧୮ରୁ ୮୫ ବର୍ଷ ମଧ୍ୟରେ।

ଅନ୍ୟପକ୍ଷେ ସମସ୍ତ ସଂକ୍ରମିତ ପୂର୍ବରୁ କୋଭିଡ୍‌ ଟିକାର ସମ୍ପୂର୍ଣ୍ଣ ଡୋଜ୍‌ ନେଇସାରିଛନ୍ତି। କେବଳ ଇଂଲଣ୍ଡରେ ମୋଟ ସଂକ୍ରମଣର ୨୦% ହେଉଛି ଓମିକ୍ରନ ମାମଲା। ଲଣ୍ଡନରେ ତାହା ୪୪%ରୁ ଅଧିକ ରହିଥିବା ସ୍ବାସ୍ଥ୍ୟ ସଚିବ ସାଜିଦ୍‌ ଜାଭିଦ୍‌ ହାଉସ୍‌ ଅଫ୍‌ କମନ୍ସରେ କହିଛନ୍ତି। ଆଉ ୨ରୁ ୩ ଦିନ ମଧ୍ୟରେ ଲଣ୍ଡନରେ ଓମିକ୍ରନ ଅନ୍ୟ ଭାରିଆଣ୍ଟ ମାମଲାକୁ ଟପିଯାଇପାରେ ବୋଲି ସେ ଆଶଙ୍କା କରିଛନ୍ତି।

Share