ଚାଇନାକୁ ଡବଲ ଝଟ୍‌କା: ଭାରତ ପରେ ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇପାରେ ଏହି ଦେଶ

ଓ୍ବାଶିଂଟନ୍‌,୧।୭: ଭାରତରେ ଟିକ୍‌ଟକ୍‌ ସମେତ ୫୯ ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏବେ ଆମେରିକାରେ ଏହାର ବ୍ୟାନ ନେଇ ଚର୍ଚ୍ଚା ହେଉଛି। ଏହାକୁ କେତେକ ସାଂସଦ ସମର୍ଥନ କରୁଥିବା ଜଣାପଡ଼ିଛି। ଦେଶରେ ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଯିବା ନେଇ ଆମେରିକା ସରକାର ବିଚାର କରନ୍ତୁ ବୋଲି ଉକ୍ତ ସାଂସଦମାନେ କହିଛନ୍ତି। କାରଣ ଛୋଟ ଛୋଟ ଭିଡିଓ ଶେୟାର କରୁଥିବା ଆପ୍‌ଗୁଡ଼ିକ କୌଣସି ଦେଶ ପାଇଁ ସୁରକ୍ଷିତ ନୁହେଁ। ତେଣୁ ଏହା ଉପରେ ବିଚାର କରାଯାଉ ବୋଲି ସାଂସଦ କହିଛନ୍ତି। ସେହିପରି ଗତ ସପ୍ତାହରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରୋବର୍ଟ ଓ ବ୍ରାୟନ ଅଭିଯୋଗ ଆଣିଥିଲେ ଯେ, ଚାଇନା ସରକାର ନିଜ ଉଦ୍ଦେଶ୍ୟ ପୂରା କରିବା ପାଇଁ ଟିକ୍‌ଟକ୍‌ର ବ୍ୟବହାର କରୁଛନ୍ତି। ତେବେ ଏଥିରୁ ଅନୁମାନ କରାଯାଉଛି ଯେ, ଭାରତ ପରେ ଏବେ ଆମେରିକାରେ ଚାଇନ୍‌ ଆପ୍‌ ଟିକ୍‌ଟକ୍‌କୁ ବ୍ୟାନ କରାଯାଇପାରେ।

Share