ହାତୀ ମୃତ୍ୟୁ ନେଇ ସନ୍ଦେହ

ସୋରଡ଼ା,୧୪ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ରଣବା ପଞ୍ଚାୟତ ଡେଙ୍ଗାଖମାଣ ଗ୍ରାମ ନିକଟ ଜଙ୍ଗଲରେ ହାତୀ ଛୁଆର ମୃତଦେହ ଠାବ ଘଟଣାରେ ମୃତ୍ୟୁର କାରଣକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗେଞ୍ଜା ପଞ୍ଚାୟତ ସୀମାନ୍ତକୁ ଲାଗିଥିବା ଉକ୍ତ ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ। ବୁଧବାର ଉକ୍ତ ହାତୀର ମୃତଦେହ ଠାବ ହୋଇଥିବା ବେଳେ ଗୁରୁବାର ପ୍ରଶାନ୍ତ ପଟେଲ, ଫରେଷ୍ଟର ସୁବାସ ଚନ୍ଦ୍ରଙ୍କ ଉପସ୍ଥିତିରେ ଜି ଉଦୟଗିରିରୁ ଆସିଥିବା ଡାକ୍ତର ଦଳ ବ୍ୟବଚ୍ଛେଦ କରି ନମୁନା ସଂଗ୍ରହ କରି ଭୁବନେଶ୍ବର ପଠାଇଥିବା ବାଦଗଡ଼ଠାରେ ବନ ବିଭାଗର ଗାର୍ଡ ରୁକ୍ମିଣୀ କହଁର ଶନିବାର ଧରିତ୍ରୀ ପ୍ରତିନିଧିଙ୍କୁ କହିଛନ୍ତି। ତେବେ ହାତୀ ମୃତ୍ୟୁର କାରଣ ଖୋଜିବାରେ ଲାଗିଛି ବନବିଭାଗ। ଡେଙ୍ଗା ଖମଣା ଗ୍ରାମର ଜଣଙ୍କୁ ଡାକିନେଇ ପଚରା ଉଚରା କରାଯାଉଛି। ଅନ୍ୟପଟେ ଗଞ୍ଜାମ ସୀମାନ୍ତର କିଛି ଲୋକ ରାତିରେ ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତତାର ବିଛାଇବାର ମଧ୍ୟ ସନ୍ଦେହ କରାଯାଉଛି। ବର୍ତ୍ତମାନ ମଧ୍ୟ ରଣବା ଅଞ୍ଚଳରେ ୧୯ ଟିକିଆ ହାତୀପଲ ରହିଥିବା ଗାର୍ଡ ଶ୍ରୀମତୀ କହଁର କହିଛନ୍ତି। ଏପରିକି ମୃତ ହାତୀଛୁଆର ମା’ ତା’ର ଛୁଆକୁ ଖୋଜି ଖୋଜି ଗଞ୍ଜାମ ସୀମାନ୍ତ ଜଙ୍ଗଲ ମଧ୍ୟରେ ବୁଲୁଛି।

Share