ଡୋଭାଲ-ବ୍ଲିଙ୍କନ ଭେଟ…

ଓ୍ବାଶିଂଟନ,୨।୨ : ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ସମୟରେ ଦ୍ୱିପାକ୍ଷିକ ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବାକୁ ଉଭୟ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।

ବ୍ଲିଙ୍କନ ପୂର୍ବରୁ ଇସ୍ରାଏଲ ଏବଂ ଇଜିପ୍ଟ ସମେତ ପଶ୍ଚିମ ଏସିଆ ଗସ୍ତରେ ଥିଲେ। ସେ ଆମେରିକା ଫେରିବା ମାତ୍ରେ ତୁରନ୍ତ ଡୋଭାଲଙ୍କୁ ଭେଟିଥିଲେ। ବୈଠକ ପରେ ବ୍ଲିଙ୍କନ ଟୁଇଟ କରି କହିଛନ୍ତି ଯେ ବିଶ୍ୱର ଆହ୍ବାନର ମୁକାବିଲା ପାଇଁ ଆମେରିକା ଭାରତ ସହିତ ସହଯୋଗ ବୃଦ୍ଧି କରୁଛି। ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ମୋର ଭଲ ବୈଠକ ହୋଇଛି।

ଉଭୟଙ୍କ ସାକ୍ଷାତ ସମ୍ପର୍କରେ ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ଏକ ଟୁଇଟ କରାଯାଇଛି। ଏଥିରେ କୁହାଯାଇଛି ଯେ ପାରସ୍ପରିକ ସ୍ବାର୍ଥର ବିଭିନ୍ନ ବିଶ୍ୱ ତଥା ଆଞ୍ଚଳିକ ପ୍ରସଙ୍ଗରେ ଉଭୟ ପକ୍ଷ ମତ ବିନିମୟ କରିଥିଲେ ଏବଂ ଭାରତ-ଆମେରିକା କିପରି ବିସ୍ତୃତ ଗ୍ଲୋବାଲ ଷ୍ଟ୍ରାଟେଜିକ ପାର୍ଟନରଶିପକୁ ଆହୁରି ମଜବୁତ କରିପାରିବ ସେନେଇ ଆଲୋଚନା କରାଯାଇଥିଲା।

ଡୋଭାଲ ଆମେରିକାରେ ଏକ ଉଚ୍ଚ ସ୍ତରୀୟ ଭାରତୀୟ ପ୍ରତିନିଧୀଙ୍କ ପ୍ରତିନିଧିତ୍ୱ କରୁଛନ୍ତି। ମଙ୍ଗଳବାର ସେ ତାଙ୍କର ଆମେରିକୀୟ ପ୍ରତିପକ୍ଷ ଜ୍ୟାକ ସଲିଭାନଙ୍କୁ ମଧ୍ୟ ଭେଟିଥିଲେ। ଡୋଭାଲ ଏବଂ ସଲିଭାନ ନିଜ ନିଜ ପ୍ରତିନିଧୀଙ୍କ ସହ ହ୍ବାଇଟ ହାଉସରେ ଇନିସିଏଟିଭ ଫର୍‌ କ୍ରିଟିକାଲ ଆଣ୍ଡ ଏମର୍ଜିଂ ଟେକ୍ନୋଲୋଜି (ଆଇସିଏଟ) ର ପ୍ରଥମ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ।

Share