Categories: ଜାତୀୟ

ବରପକ୍ଷ ଯୌତୁକ ମାଗିବାରୁ ନିମନ୍ତ୍ରଣ କାର୍ଡରେ ସୁଇସାଇଡ୍‌ ନୋଟ୍‌ ଲେଖି ଆତ୍ମହତ୍ୟା କଲେ କନ୍ୟାପିତା

ଚଣ୍ଡିଗଡ଼,୨୩ା୧୧: ଯୌତୁକ ରୂପୀ ଭୂତ ସମାଜରୁ ସମ୍ପୂର୍ଣ୍ଣ ମୂଳପୋଛ ହୋଇନାହିଁ। ଆଜି ବି ଏ ସମାଜରେ କିଛି ଯୌତୁକଲୋଭୀ କନ୍ୟାପକ୍ଷଙ୍କୁ ଯୌତୁକ ମାଗିବାକୁ ପଛାଉ ନାହାନ୍ତି। ଫଳରେ ଏଥିରେ ମର୍ମାହତ ହୋଇ ଅନେକ କନ୍ୟା ପିତା ଆତ୍ମହତ୍ୟା କରୁଥିବା ନଜିର ରହିଛି। ଠିକ୍‌ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ହରିୟାଣାରେ। ରଓ୍ବୋରୀର ଜଣେ କନ୍ୟାପିତାଙ୍କଠାରୁ ବରପକ୍ଷ ୩୦ ଲକ୍ଷ ଟଙ୍କା ଯୌତୁକ ଦାବି କରିବାରୁ ପିତା ବିବାହ ନିମନ୍ତ୍ରଣ କାର୍ଡରେ ସୁଇସାଇଡ୍‌ ନୋଟ୍‌ ଲେଖି ଆତ୍ମହତ୍ୟା କରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ରଓ୍ବୋରୀର ପରିବହନ ବ୍ୟବସାୟୀ କୈଳାସ ତନଓ୍ବାର ଗୁରୁଗ୍ରାମ ନିବାସୀ ସୁନୀଲ କୁମାରଙ୍କ ପୁଅ ରବିଙ୍କ ସହ ତାଙ୍କ ଝିଅର ବିବାହ ସ୍ଥିର କରିଥିଲେ। ଝିଅ ବିବାହରେ ଖୁସି ଥିବା କୈଳାସ ସମସ୍ତ ପ୍ରସ୍ତୁତି ସାରିଥିଲେ। ମାତ୍ର ବିବାହର ଗୋଟିଏ ଦିନ ପୂର୍ବରୁ କୈଳାସଙ୍କୁ ବରପକ୍ଷ ୩୦ ଲକ୍ଷ ଟଙ୍କା ଯୌତୁକ ଦେବାକୁ କହିଥିଲେ। ଆଉ କହିଥିଲେ ଯଦି ଟଙ୍କା ଦେଇ ପାରିବେ ନାହିଁ, ତେବେ ଏ ବିବାହ ହୋଇପାରିବ ନାହିଁ। ଏଥିରେ କୈଳାସ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ ହୋଇଥିଲେ। ସେ ବରପକ୍ଷଙ୍କୁ ୧୫ ଲକ୍ଷ ଟଙ୍କା ଦେବା ପାଇଁ ବ୍ୟବସ୍ଥା କରିଥିଲେ। କିନ୍ତୁ ସେମାନେ ୩୦ ଲକ୍ଷ ଦାବି କରିଥିଲେ। ଯାହା କୈଳାସ ଦେବାକୁ ସକ୍ଷମ ନୁହନ୍ତି ବୋଲି କହିଥିଲେ। ଏପରିକି ବରପକ୍ଷକୁ ମନାଇବା ପାଇଁ କୈଳାସ ତାଙ୍କ ଗାଁରେ ପହଞ୍ଚି ତାଙ୍କ ଅସହାୟତା ଜଣାଇଥିଲେ। କିନ୍ତୁ ସେମାନେ ରାଜି ହୋଇ ନ ଥିଲେ। ଏଥିରେ ମର୍ମାହତ ହୋଇ କୈଳାସ ଆତ୍ମହତ୍ୟା କରିଥିଲେ।

ମୃତ୍ୟୁ ପୂର୍ବରୁ ସେ ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି, ଏଥିପାଇଁ ମୁଁ ୪ ଜଣଙ୍କୁ ଦାୟୀ କରୁଛି। ଆହୁରି ଲେଖିଛନ୍ତି, ମୁଁ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିସାରିଛି। ତାଙ୍କ ଆର୍ଥିକ ସ୍ଥିତି ଅନୁଯାୟୀ ସେ ୧୩ରୁ ୧୫ ଲକ୍ଷ ଟଙ୍କା ଦେବାକୁ ଇଚ୍ଛୁକ ଥିଲେ। କିନ୍ତୁ ପୁଅଙ୍କ ପିତା, ପୂର୍ବତନ ସରପଞ୍ଚ ମମଚାନ୍ଦ, ବିନୟ ପାଲ ଏବଂ ଝିଅର ସମ୍ପର୍କୀୟ ମଞ୍ଜୁ ଦେବୀ ତାଙ୍କୁ ଅଧିକ ଟଙ୍କା ଦେବା ପାଇଁ କହି ହଇରାଣ କରୁଛନ୍ତି।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ମୁଁ ତାଙ୍କୁ ୩୦ ଲକ୍ଷ ଟଙ୍କା ଦେଇ ପାରିବି ନାହିଁ ଏବଂ ସମାଜରେ ସମ୍ମାନ ରକ୍ଷା କରିବାକୁ ତାଙ୍କ ନିକଟକୁ ଯାଇଥିଲି କିନ୍ତୁ ସେ ଏଥିରେ ରାଜି ହୋଇ ନ ଥିଲେ ଏବଂ ସମ୍ପର୍କ ରଖିବାକୁ ମନା କରିଦେଇଥିଲେ। ବର୍ତ୍ତମାନ ମୁଁ ସମାଜରେ ବଞ୍ଚି ପାରିବି ନାହିଁ ଏବଂ ଏହି ଲୋକମାନେ ମୋର ମୃତ୍ୟୁ ପାଇଁ ଦାୟୀ ଅଟନ୍ତି ବୋଲି ଲେଖିଛନ୍ତି।

Share