ସ୍ବତନ୍ତ୍ର ଡୁଡ୍‌ଲ ଯୋଗେ ଭୁପେନ ହଜାରିକାଙ୍କୁ ମନେ ପକାଇଲା ଗୁଗ୍‌ଲ

ଲୋକପ୍ରିୟ ସଙ୍ଗୀତକାର ତଥା ଚଳଚ୍ଚିତ୍ର ନିର୍ମାତା ଭୁପେନ ହଜାରିକାଙ୍କ ଆଜି ୯୬ତମ ଜନ୍ମଜୟନ୍ତୀ। ଏହି ଅବସରରେ ଗୁଗଲ ସ୍ବତନ୍ତ୍ର ଡୁଡଲ ପ୍ରସ୍ତୁତ କରି ଭୁପେନଙ୍କୁ ଏକ ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଏହି ଡୁଡଲରେ ସ୍ବର୍ଗତ ସଙ୍ଗୀତକାର ହରମୋନିୟମ ବଜାଉଥିବା ଦେଖାଯାଇଛି।
ଭୁପେନ ହଜାରିକା ଶହ ଶହ ଫିଲ୍ମ ପାଇଁ ସଙ୍ଗୀତ ରଚନା କରିବା ସହିତ ଅନେକ ଗୀତରେ ତାଙ୍କ ସ୍ବରର ଯାଦୁ ବିସ୍ତାର କରିଥିଲେ। ସେ କବିତା, ରଚନା ଏବଂ କିଛି ପ୍ରସିଦ୍ଧ ଆସାମ ଫିଲ୍ମ ନିର୍ମାଣ ମଧ୍ୟ କରିଥିଲେ।
ମାତ୍ର ୧୦ ବର୍ଷ ବୟସରେ କ୍ୟାରିଅର୍‌ ଆରମ୍ଭ କରିଥିବା ଭୁପେନ ହଜାରିକା ଏବେ ମଧ୍ୟ ଲୋକଙ୍କ ହୃଦୟରେ ଜୀବିତ ଅଛନ୍ତି। ୧୨ ବର୍ଷ ବୟସରେ ସେ ଦୁଇଟି ଫିଲ୍ମ ପାଇଁ ଗୀତ ଲେଖିଥିଲେ ଏବଂ ରେକର୍ଡ ମଧ୍ୟ କରିଥିଲେ। ସମୟ ସହିତ, ହଜାରିକା ଅନେକ ଗୀତ ରଚନା କରିଥିଲେ ଏବଂ ଅନେକ ଗୀତରେ ସ୍ବର ଦେଇଥିଲେ।
ଭୁପେନ ହଜାରିକା ୧୯୪୬ରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ୧୯୫୨ରେ କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ସଙ୍ଗୀତରେ ହଜାରିକା ତାଙ୍କର ସର୍ବଶ୍ରେଷ୍ଠ ଅବଦାନ ଦେଇଥିଲେ। ଏଥିପାଇଁ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ଦାଦାସାହେବ ଫାଲକେ ପୁରସ୍କାର, ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ଭଳି ଅନେକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଭୁପେନ ହଜାରିକାଙ୍କୁ ୨୦୧୯ରେ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ମଧ୍ୟ ପ୍ରଦାନ କରାଯାଇଛି।

Share