ଭୁବନେଶ୍ୱର,୩।୬(ବ୍ୟୁରୋ): କଟକ ଏସ୍ସିବି ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲର ଆନେସ୍ଥୋଲୋଜି ପ୍ରଫେସର ଡା. ନିବେଦିତା ପାଣିଙ୍କୁ ପୋଷ୍ଟ ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେଶନ ଆଣ୍ଡ୍ ରିସର୍ଚ୍ଚ ଆଣ୍ଡ୍ କ୍ୟାପିଟାଲ ହସ୍ପିଟାଲର ଭାରପ୍ରାପ୍ତ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତି ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ ବୋଲି ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, କ୍ୟାପିଟାଲ ହସ୍ପିଟାଲରେ ଭେଷଜ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଖୋଲାଯିବା ସହିତ ଏଠାରେ ଭେଷଜ ଛାତ୍ରୀଛାତ୍ରଙ୍କ ପାଇଁ ଶିକ୍ଷାଦାନର ବ୍ୟବସ୍ଥା ହୋଇଛି। ଗତ ୨୫ ତାରିଖରେ ଉକ୍ତ ଡାକ୍ତରଖାନାକୁ ଟିଚିଂ ହସ୍ପିଟାଲ ଭାବେ ସରକାର ଘୋଷଣା କରିଥିଲେ। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଉକ୍ତ ପ୍ରତିଷ୍ଠାନର ଅତିରିକ୍ତ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ହସ୍ପିଟାଲର ଅଧୀକ୍ଷକଙ୍କୁ ଅତିରିକ୍ତ ଅଧୀକ୍ଷକ ଭାବେ ଘୋଷଣା କରାଯାଇଥିଲା।