ଡ୍ରାଗନର ଷଡ଼ଯନ୍ତ୍ର: ଅକ୍ସାଇ ଚୀନ୍‌ରେ କରୁଛି ବଙ୍କର ନିର୍ମାଣ

ବେଜିଂ,୧୯।୧୧: ପୂର୍ବ ଲଦାଖର ଏଲ୍‌ଏସିରେ ଚାଇନା ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଛି। ଏବେ ଡ୍ରାଗନର ଷଡ଼ଯନ୍ତ୍ର ସମ୍ପର୍କରେ ରିପୋର୍ଟ ମିଳିଛି। ଗତ ମାସେ ଧରି ଅକ୍ସାଇ ଚୀନ୍‌ରେ ଚାଇନା ସୈନ୍ୟ ବାହିନୀ ଜମା ହେବାରେ ଲାଗିଛନ୍ତି। ସେଠାରେ ସଡ଼କ ନିର୍ମାଣ କରାଯାଉଛି। ଏହା ସହିତ ଚାଇନା ସୈନ୍ୟ ବାହିନୀ ଫିଙ୍ଗର-୬ ଏବଂ ଫିଙ୍ଗର-୮ ମଧ୍ୟରେ ସଂଯୋଗ ସ୍ଥାପନ କରୁଥିବା ରାସ୍ତାକୁ ଚୌଡ଼ା କରାଯାଉଛି। ସମ୍ଭାବ୍ୟ ଯୁଦ୍ଧ ସ୍ଥିତିରେ ଏଠାରେ ଯେଭଳି ଚାଇନା ସୈନ୍ୟ ଅଧିକ ସମୟ ଧରି ରହିପାରିବେ ସେଥିପାଇଁ ଯୋଜନା ବଦ୍ଧ ଭାବେ କାର୍ଯ୍ୟ କରାଯାଉଛି। କାରାକୋରମ୍‌ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ସମର ଲୁଙ୍ଗ୍‌ପା ଏବଂ ରୋଚିନ୍‌ ଲାର ଦକ୍ଷିଣରେ ଥିବା ମାଉଣ୍ଟ୍‌ ସାଜୁନ୍‌ରେ ଚାଇନା ସୈନ୍ୟ ୧୦ରୁ ଅଧିକ ବଙ୍କର ନିର୍ମାଣ କରୁଛନ୍ତି। ଏହା ସହିତ ଚାଇନା ଦୌଲତ୍‌ ବେଗ୍‌ ଓଲ୍ଡି ବିମାନ ବନ୍ଦର ଉପରେ ମଧ୍ୟ କଡ଼ା ନଜର ରଖିଛି। ରଣନୀତି ଦୃଷ୍ଟିରୁ ଏହି ବିମାନ ବନ୍ଦର ଭାରତ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ବିମାନ ବନ୍ଦରଠାରୁ ୭୦ କିଲୋମିଟର ଦୂର କିଜିଲ ଜିଲଗାରେ ଚାଇନା ଅଧିକ ସୈନ୍ୟଙ୍କୁ ମୁତୟନ କରିଛି। ଏଥିରେ ଚାଇନାରମନ୍ଦ ଉଦ୍ଦେଶ୍ୟ ଥିବା କୁହାଯାଉଛି।

Share