ଡ୍ରାଗନର ଷଡ଼ଯନ୍ତ୍ର, ସାଟେଲାଇଟ୍‌ କଲା ପର୍ଦ୍ଦାଫାଶ୍‌…

ବେଜିଂ,୨୭।୭: ପୂର୍ବ ଲଦାଖରେ ଥିବା ଭାରତୀୟ ସୀମା ନିକଟରେ କ୍ଷେପଣାସ୍ତ୍ର ଏବଂ ଘାତକ ଅସ୍ତ୍ର ମୁତୟନ କରି ଉତ୍ତେଜନା ସୃଷ୍ଟି କରୁଥିବା ଚାଇନାର ଏକ ନୂଆ ଷଡ଼ଯନ୍ତ୍ରର ଏବେ ପର୍ଦ୍ଦାଫାଶ୍‌ ହୋଇଛି। ସାଟେଲାଇଟ୍‌ରୁ ମିଳି ଥିବା ଚିତ୍ରରୁ ଡ୍ରାଗନର ଚାଲାକି ଧରାପଡ଼ିଛି। ଚାଇନା ପୈଙ୍ଗାଙ୍ଗ ହ୍ରଦ ନିକଟରେ ନିଜର ସୈନ୍ୟବାହିନୀକୁ ଏବେ ବି ରଖିଛି। ପ୍ରାୟ ୬ ମାସ ପୂର୍ବେ ପୈଙ୍ଗାଙ୍ଗ ହ୍ରଦ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବା ଏବଂ ପାଟ୍ରୋଲିଂ ନ କରିବାକୁ ଭାରତ ଏବଂ ଚାଇନା ମଧ୍ୟରେ ସହମତି ପ୍ରକାଶ ପାଇଥିଲା। ଏହା ପରେ ଚାଇନା ପୈଙ୍ଗାଙ୍ଗ ହ୍ରଦର ଫିଙ୍ଗର ୪ରୁ ନିଜର ସୈନ୍ୟବାହିନୀକୁ ସ୍ଥାନାନ୍ତର କରି ଏବେ ସେମାନଙ୍କୁ ଫିଙ୍ଗର ୮ ପଛରେ ରଖିଛି। ବିବାଦୀୟ ସ୍ଥାନ ନିକଟରେ ଚାଇନା ସୈନ୍ୟ ମୁତୟନ ଥିବା ସାଟେଲାଇଟ୍‌ରୁ ମିଳି ଥିବା ଚିତ୍ରରୁ ଜଣାପଡ଼ିଛି। ଗୁପ୍ତଚର ସୂତ୍ରରୁ ପ୍ରକାଶ ଯେ, ପୈଙ୍ଗାଙ୍ଗ ହ୍ରଦ ନିକଟରେ ଚାଇନା ସୈନ୍ୟମାନେ ବଙ୍କର, ଇନ୍ଧନ ଟ୍ୟାଙ୍କ, ଶିବିର ଲାଗି ଉପଯୋଗୀ ର୍ନିମାଣ କରିଛନ୍ତିି। ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ରିପୋର୍ଟ ଅନୁଯାୟୀ, ଗଲୱାନ ହିଂସା ସମୟରେ ନିୟୋଜିତ ଥିବା ସୈନ୍ୟଙ୍କ ସଂଖ୍ୟା ତୁଳନାରେ ଏବେ ଫିଙ୍ଗର ୮ ପଛରେ ଅଧିକ ୧୫ ହଜାର ସୈନ୍ୟ ମୁତୟନ ଅଛନ୍ତି।
ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ଉଭୟ ଭାରତ ଏବଂ ଚାଇନା ସୀମାରେ କେତେକ ଭିତ୍ତିଭୂମି ବିକାଶ କରିଛନ୍ତି। ଶୀତଦିନରେ ସୈନ୍ୟମାନଙ୍କ ରହିବା ପାଇଁ ଇନସୁଲେଟେଡ କ୍ୟାବିନ ଏବଂ ତମ୍ବୁ ଆଦି ନିର୍ମାଣ ହୋଇଛି। ଦୁଇ ଦେଶ ପକ୍ଷରୁ ଅଧିକାଂଶ ସାମରିକ ନିର୍ମାଣ ପୂର୍ବ ଲଦାଖରେ କରାଯାଇଛି। ଫଳରେ ଏବେ ମଧ୍ୟ ଗୋଗ୍ରା-ହଟ୍ସପ୍ରିଙ୍ଗ, ଡେପସାଙ୍ଗ ଏବଂ ଡୋକଲାମରେ ଉଭୟ ପକ୍ଷ ମୁହାଁମୁହିଁ ହୋଇ ରହିଛନ୍ତି।

Share